ଭୁବନେଶ୍ୱର: ଦେଉଳକୁ ମୁଖଶାଳା ଗିଳିଛି। ଓଡ଼ିଶାରେ ପାଞ୍ଚ ସରକାରୀ ଉଦ୍ୟୋଗ (ପିଏସ୍ୟୁ)ରେ କ୍ଷତି ପରିମାଣ ବଢ଼ି ବଢ଼ି ଚାଲିଛି। ସେହି ଉଦ୍ୟୋଗଗୁଡ଼ିକ ହେଉଛି ଗ୍ରୀଡ୍କୋ ଲିମିଟେଡ୍, ଇଡ୍କଲ୍ ଫେରୋକ୍ରୋମ ଓ ଆଲଏଜ୍ ଲିମିଟେଡ୍, ଇଡ୍କଲ୍ କଳିଙ୍ଗ ଆଇରନ୍ ୱାର୍କ ଲିମିଟେଡ୍, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ୍ ଏବଂ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଲିମିଟେଡ୍। ଗ୍ରୀଡ୍କୋର କ୍ଷତିର ପରିମାଣ ୭୩୮୯.୭୭ କୋଟି ହୋଇଥିବାବେଳେ ଇଡ୍କଲ୍ର କ୍ଷତି ୭୫୧.୭୪ କୋଟି, ଇପିକଲ କ୍ଷତି ପରିମାଣ ୪.୮୩ କୋଟି ଏବଂ ଓଆର୍ଏଚ୍ଡିସିରେ ୨,୪୦୫.୧୧ କୋଟି ଟଙ୍କା ଅନାଦେୟ କାରଣରୁ କ୍ଷତି ହୋଇଛି। ଅଡିଟ୍ ପରେଖୋଦ୍ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜି ଏଭଳି ଆର୍ଥିକ ଅନିୟମିତା ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ବାହାରେ ଅବସ୍ଥିତ ଏନ୍ଟିପିସି ବିଦ୍ୟୁତ କେନ୍ଦ୍ରଗୁଡ଼ିକରୁ ଉଚ୍ଚ ଦରରେ ବିଦ୍ୟୁତ୍ କ୍ରୟ କରିବାରୁ ଗ୍ରୀଡ୍କୋ ୧,୦୬୫.୫୫ କୋଟି ଟଙ୍କାର କ୍ଷତି ସହିଥିଲା। ଏହି କ୍ରୟକୁ ଗ୍ରୀଡ୍କୋର ମୋଟ୍ ରାଜସ୍ୱ ଆବଶ୍ୟକତା ଧାର୍ଯ୍ୟ ସମୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଅନୁମୋଦନ କରିନଥିଲେ।
କାରଣ ଏହି ପରିପ୍ରେକ୍ଷୀରେ ଓଇଆର୍ସିଙ୍କର ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ସେହି ଉଚ୍ଚ ଦରର ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ଚୁକ୍ତି ଅନୁଯାୟୀ କିଣାଯାଉଥିବା ବିଦ୍ୟୁତ୍ ଅଂଶକୁ ଫେରସ୍ତ କରିବାରେ ମାତ୍ରାଧିକ ବିଳମ୍ବ ହୋଇଥିଲା। ସେହିପରି ପିପିଏ ଅନୁଯାୟୀ ଆଇପିପିମାନଙ୍କ ଠାରୁ ହକ୍ ସ୍ୱଳ୍ପ ମୂଲ୍ୟର ବିଦ୍ୟୁତ୍ କ୍ରୟରେ କ୍ରମାଗତ ନିଅଣ୍ଟ ହେବାରୁ ଅନ୍ୟ ଉଚ୍ଚ ମୂଲ୍ୟର ଉତ୍ସରୁ ବିଦ୍ୟୁତ୍ କ୍ରୟ ହେତୁ ଗ୍ରୀଡ୍କୋ ୩,୨୫୭.୪୦ କୋଟି ଟଙ୍କା କ୍ଷତି ସହିଥିଲା। ସିଏଜି ପୁଣି ଜାଣିବାକୁ ପାଇଥିଲେ ଯେ, ୨୦୧୭-୧୮ରୁ ୨୦୨୧-୨୨ ସମୟ ଅବଧି ମଧ୍ୟରେ ୧୨,୬୮୮.୦୬ ଏମ୍ୟୁ ନବୀକରଣ ଯୋଗ୍ୟ ବିଦ୍ୟୁତ୍ ଶକ୍ତି କ୍ରୟ ଲକ୍ଷ୍ୟରୁ ଗ୍ରୀଡ୍କୋ ୭,୧୩୪.୬୨ ଏମ୍ୟୁ କ୍ରୟ କରିପାରିଲା। ଭୁଲ ନିଷ୍ପତ୍ତି କାରଣରୁ ୫,୫୫୩.୪୪ ଏମ୍ୟୁ ନିଅଣ୍ଟ ହୋଇଥିଲା। ଫଳରେ ୧,୩୧୫.୭୩ କୋଟି ଟଙ୍କାର ଜୋରିମାନା ଦେୟ ଦେବାକୁ ବାଧ୍ୟ ହୋଇଥିଲା ଉକ୍ତ ସଂସ୍ଥା। ଅନ୍ୟପକ୍ଷରେ ଡିସକମ୍ମାନଙ୍କ ଠାରୁ ବିଏସ୍ପି ଦେୟ ଆଦାୟ କରି ଏହାର ଆଭ୍ୟନ୍ତରୀଣ ସମ୍ବଳ ସଂଗ୍ରହ କରିବାରେ ବିଫଳ ହେବା କାରଣରୁ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ରଣ ଉପରେ ସୁଧ ବାବଦକୁ ପରିହାର୍ଯ୍ୟ ଅତିରିକ୍ତ ବ୍ୟୟ କରି ଗ୍ରୀଡ୍କୋ ୨,୩୯୧.୫୪ କୋଟି ଟଙ୍କାର କ୍ଷତି ସହିଥିଲା।
ପୂର୍ବରୁ ଓଇଆର୍ସି ତାଙ୍କର ୨୦୧୬ରେ ‘ଟ୍ରୁଇଙ୍ଗ ଅପ୍ ଆଦେଶନାମା’ରେ ଅତିରିକ୍ତ ବିଦ୍ୟୁତ୍ ବ୍ୟବସାୟରୁ ଏବଂ ଓଡ଼ିଶା ସରକାରଙ୍କ ବଜେଟ୍ ସହାୟତାରୁ କ୍ଷତିକୁ ଭରଣା କରିବା ପାଇଁ ଗ୍ରୀଡ୍କୋକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଓଇଆର୍ସି ତାଙ୍କର ଅକ୍ଟୋବର ୨୦୨୧ ଟ୍ରୁଇଙ୍ଗ ଅପ୍ ଆଦେଶନାମାରେ ଗ୍ରୀଡ୍କୋର ଦାବି ୩,୫୮୮.୦୨ କୋଟି ଟଙ୍କାରୁ କେବଳ ୯୭୧.୦୭ କୋଟି ଟଙ୍କାର ରାଜସ୍ୱ ଭରଣା ପାଇଁ ଅନୁମତି ଦେଇଛନ୍ତି। ଯେହେତୁ ଗ୍ରୀଡ୍କୋ ସେପରି କୌଣସି ଉପାର୍ଜନ କରିପାରିଲା ନାହିଁ, ଏହା ନିୟାମକ ସମ୍ପତ୍ତିର ଟ୍ରୁଇଙ୍ଗ ଅପ୍ ଅନୁମତି ପାଇନଥିଲେ। ଏଥିଯୋଗୁଁ ଗ୍ରୀଡ୍କୋ ୨,୬୧୬.୯୫ କୋଟି ଟଙ୍କା କ୍ଷତି ସହିଥିଲା।
ରାଜ୍ୟର ଆଉଏକ ସରକାରୀ ଉଦ୍ୟୋଗ ଇପିକଲ୍ ବି ନିଜର ଭୂଲ୍ ନିଷ୍ପତ୍ତି କାରଣରୁ ବ୍ୟାପକ କ୍ଷତି ସହିଛି। ଜୁନ୍ରୁ ନଭେମ୍ବର ୨୦୧୯ ମଧ୍ୟରେ ଉଭୟ ଚୁଲାକୁ ୮,୫୨୦ ଘଣ୍ଟା ବନ୍ଦ କରିବା କାରଣରୁ ଇପିକଲ ୯,୪୨୧.୭୨୮ ଏମ୍ଟି ଏଚ୍ସିଏଫ୍ସି ଉତ୍ପାଦନର କ୍ଷତି ସହିବା ସହ ୪.୮୩ କୋଟି ଟଙ୍କାର ହରାଇଲା। ସେହିପରି ଇଡ୍କଲ୍ ବେଆଇନ ଖଣି ଖନନ ଓ ଜୋରିମାନା ବାବଦକୁ ୭୫୧.୭୪ କୋଟି ସହିଛି। ଏମ୍ଏମ୍ଡିଆର ଅଧିନିୟମ, ୧୯୫୭ର ଧାରା ୨୧ (୫) ଅଧିନରେ ୨୦୦୦-୦୧ରୁ ୨୦୧୦-୧୧ ସମୟ ଅବଧି ମଧ୍ୟରେ ତଳଙ୍ଗୀ କ୍ରୋମାଇଟ୍ ଖଣି ଓ ରୋଇଡ଼ା-ଗ ଖଣିରେ ପରିବେଶ ମଞ୍ଜୁରୀ ବିନା ତଥା ପରିବେଶ ମଞ୍ଜୁରୀ ଠାରୁ ଅଧିକ ଉତ୍ପାଦନ କରିଥିବାରୁ ଇଡ୍କଲ୍ ବେଆଇନ ଖଣି ଖନନ ଓ ଜୋରିମାନା ବାବଦକୁ ୭୫୧.୭୪ କୋଟି ଟଙ୍କାର କ୍ଷତି ପୂରଣ ଓ ସୁଧ ଓଏମ୍ସି ଠାରୁ ଋଣ ନେଇ ଓ ନିଜସ୍ୱ ଅର୍ଥରୁ ପ୍ରଦାନ କରିଥିଲା ।
ସିଏଜି ପୁଣି କହିଛନ୍ତି ଯେ, ଗତ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଲିମିଟେଡ୍ (ଓଆର୍ଏଚ୍ଡିସି)ର ୨,୪୦୫.୧୧ କୋଟି ଟଙ୍କା ଅନାଦେୟ ରହିଥିଲା। କମ୍ପାନୀ ଅଧିନିୟମ-୨୦୧୩ର ପ୍ରାବଧାନଗୁଡ଼ିକର ଖୋଲା ଉଲ୍ଲଙ୍ଘନ କରି ଓଆର୍ଏଚ୍ଡିସି ୨୦୦୯-୧୦ରୁ ଏହାର ବାର୍ଷିକ ହିସାବ ପ୍ରସ୍ତୁତ ନକରି ଉକ୍ତ ସରକାର ଉଦ୍ୟୋଗ ପ୍ରକଳ୍ପ ଫାଇନାନ୍ସ ଯୋଜନା, ବିଲ୍ଡିଂ ସେଣ୍ଟର ଯୋଜନା, କର୍ପୋରେଟ୍ ରଣ ଯୋଜନା, କଳିଙ୍ଗ କୁଟୀର ଯୋଜନା, ବ୍ୟକ୍ତିଗତ ଗୃହ ନିର୍ମାଣ ଫାଇନାନ୍ସ ଯୋଜନା, କ୍ରେଡିଟ୍ ଲିଙ୍କ୍ ଗୃହ ନିର୍ମାଣ ଯୋଜନାରେ ବ୍ୟାପକ ଅର୍ଥ ବ୍ୟୟ କରିଥିଲା। ହେଲେ ଆଦାୟ କରି ନଥିଲା। ଫଳରେ ସଂସ୍ଥାର କ୍ଷତି ପରିମାଣ ବଢ଼ି ବଢ଼ି ଚାଲିଲା ସତ କମିବାର ନାଁ ଧରି ନଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।