31.7 C
Bhubaneswar
Tuesday, April 8, 2025
Homeଦେଶ ବିଦେଶଉତ୍ତରକାଶୀ ଟନେଲରେ ୪୦ ଶ୍ରମିକ ଫସିଥିବା ଘଟଣା; ୧୬୦ ଘଣ୍ଟା ବିତିଲା, ଉଦ୍ଧାର ଆଶା ମଉଳୁଛି

ଉତ୍ତରକାଶୀ ଟନେଲରେ ୪୦ ଶ୍ରମିକ ଫସିଥିବା ଘଟଣା; ୧୬୦ ଘଣ୍ଟା ବିତିଲା, ଉଦ୍ଧାର ଆଶା ମଉଳୁଛି

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଏକ ଟନେଲ (ସୁଡଙ୍ଗ) ଗତ ରବିବାର ସକାଳେ ଭୁଶୁଡି ପଡିଥିବାବେଳେ ସେଥିରେ ୪୦ ଜଣ ଶ୍ରମିକ ଫସିରହିଛନ୍ତି । ଶନିବାର ରାତି ସୁଦ୍ଧା ଦୁର୍ଘଟଣା ଘଟିବାର ୧୬୦ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନାହିଁ । ଦେଶୀ ବିଦେଶୀ କୌଶଳ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଆମେରିକାରୁ ଅଣାଯାଇଥିବା ଏକ ଡ୍ରିଲିଂ ମେସିନ୍ ଅକାମୀ ହୋଇପଡିଥିବାରୁ ଉଦ୍ଧାର କାର୍ଯ୍ୟକୁ ଆପାତତଃ ସ୍ଥଗିତ ରଖାଯାଇଥିବା କୁହାଯାଇଛି । ଇନ୍ଦୋରରୁ ଅଣାଯାଇଥିବା ଦ୍ୱିତୀୟ ଡ୍ରିଲିଂ ମେସିନ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ରବିବାର ଏହାକୁ ବ୍ୟବହାର କରାଯିବ ବୋଲି ଜଣାପଡିଛି ।

ଟନେଲରେ ଫସିଥିବା ସବୁ ଶ୍ରମିକ ଜୀବିତ ଓ ସୁସ୍ଥ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଛି । ତେବେ ଟନେଲ ମଧ୍ୟରେ ସେମାନଘଙ୍କର ସ୍ୱର ଦିନକୁ ଦିନ କ୍ଷୀଣ ହେଉଥିବା ଲକ୍ଷ୍ୟ କରାଯାଇଛି । ପାଇପ୍ ଯୋଗେ ଟନେଲ ମଧ୍ୟକୁ ଖାଦ୍ୟ, ପାନୀୟ ଜଳ ଏବଂ ଅମ୍ଳଜାନ ଯୋଗାଇ ଦିଆଯାଉଛି ସତ, ତେବେ ଟନେଲ ମଧ୍ୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ତାହା ସ୍ପଷ୍ଟ ହୋଇପାରୁନାହିଁ । ଏଥିନେଇ ଶ୍ରମିକମାନଙ୍କ ପରିବାର ଉଗ୍‌ବିଗ୍ନ ହୋଇପଡିଛନ୍ତି । ପ୍ରାୟ ଏକ ସପ୍ତାହ ପରେ ମଧ୍ୟ ଜଣେ ହେଲେ ଶ୍ରମିକ ଟନେଲରୁ ବାହାରିନଥିବାରୁ ସେମାନଙ୍କର ପରିବାର ଲୋକ ବର୍ତ୍ତମାନ ନିରାଶ ହେବାସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଅପରପକ୍ଷରେ ଏହି ଶ୍ରମିକଙ୍କୁ ତୁରନ୍ତ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇବା ଉଚିତ ବୋଲି ଡାକ୍ତରମାନେ କହିଛନ୍ତି । ଆଉ ଅଧିକ ଦିନ ଟନେଲରେ ଫସିରହିଲେ, ସେମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡିଯିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ତିନି ଫୁଟ ଗୋଲେଇର ଏକ ଲୁହା ପାଇପ୍ ଟନେଲ ମଧ୍ୟକୁ ପ୍ରବେଶ କରାଇ ସେହିବାଟରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ତେବେ ପାଇପ୍‌କୁ ଟନେଲ ମଧ୍ୟକୁ ପ୍ରବେଶ କରାଇବା ସମୟରେ ଅଧିକରୁ ଅଧିକ ଅତଡା ଖସି  ପୁଣି ରାସ୍ତା ଅବରୋଧ ହୋଇପଡୁଛି । ପ୍ରଥମ ଦିନ ଟନେଲ ମଧ୍ୟରେ ୪୦ ମିଟର ପର୍ଯ୍ୟନ୍ତ ଅତଡା ଜମା ହୋଇଥିବାବେଳେ ଶନିବାର ସୁଦ୍ଧା ଏହା ୭୦ ମିଟରକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking