ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗୁରୁବାରକୁ ଗୋଟିଏ ପରିବାରର ୪ ଜଣଙ୍କ ଶବ ମିଳିବା ଘଟଣା ସାରା ଅଞ୍ଚଳରେ ଭୟ ସୃଷ୍ଟି କରିଛି । ୪ ଜଣ ମୃତକ ଗୋଟିଏ ପରିବାରର । କୁହାଯାଉଛି କି , ଜଣେ ବ୍ୟକ୍ତି ଫାସୀରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ବ୍ୟକ୍ତିର ପତ୍ନୀ ଓ ୨ଜଣ ଛୋଟ ଛୁଆ ମୃତ ଅବସ୍ଥାରେ ବିଛଣାରେ ପଡିଥିଲେ । ତେବେ ବ୍ୟକ୍ତି ଜଣକ ପ୍ରଥମେ ସ୍ତ୍ରୀକୁ ମାରିବା ପରେ ୨ ଜଣ ଛୁଆଙ୍କୁ ମାରିଥିଲା । ଏହାପରେ ନିଜେ ଫାସୀରେ ଝୁଲି ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି ।
ମୃତକଙ୍କ ଘର ଭିତର ପଟୁ ବନ୍ଦ ଥିଲା । ମାମଲାଟି ସାମନାକୁ ଆସିବା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଗୁଡିକୁ ଉଦ୍ଧାର କରି ମାମଲାର ଯାଞ୍ଚ କରୁଛି ।
ଫାସୀରେ ଝୁଲିଥିବା ମୃତକଙ୍କ ନାମ ଧୀରଜ ଯାଦବ (୩୧) ସେ ଡିଟିସିରେ ବସ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ପତ୍ନୀ ଆରତୀ (୨୮)ଘରେ ରହି କାମ କରୁଥିଲେ ଓ ୨ ଛୁଆଙ୍କ ବୟସ ୬ ଓ ୩ ବର୍ଷ । ଏହି ଘଟଣା ଟି ଘରର ୩ ମହଲା ଉପରେ ଘଟିଛି । ତେବେ ପୋଲିସ ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଯାଞ୍ଚ ଆହୁରି କଡା କଡି କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।