25.8 C
Bhubaneswar
Saturday, July 27, 2024
Homeଓଡିଶାଦୁର୍ଘଟଣାରେ ୩ ଯାତ୍ରା ଅଭିନେତ୍ରୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ୩ ଯାତ୍ରା ଅଭିନେତ୍ରୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ମୁହଁରେ ରଙ୍ଗ ଲଗେଇ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣୁଥିଲେ । କେତେ ଅଭିନୟରେ ମୃତ୍ୟୁ ବରଣ କରି ଚିର ନିଦ୍ରାରେ ଶୋଇଯାଉଥିଲେ । ହେଲେ ବାସ୍ତବରେ ସେହି ଅଭିନୟ ଆଜି ସତ ହୋଇଛି । କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ନାୟକଙ୍କ ସମେତ ୪ ଜଣ ମେଡ଼ିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ସଦର ଥାନା ତିଆଡ଼ିକଣ୍ଡିଆ ଗାଁରେ ଜାଗର ମେଳା ଅବସରରେ ମାର୍ଚ୍ଚ ୧୬ ଓ ୧୭ ତାରିଖରେ ଯାତ୍ରା ହେବ। ନାଟକ ଥିଲା ‘ଚନ୍ଦନ ମୋ ପାଇଁ କଳଙ୍କ ଟିକା’ ଓ ‘କହଇ ମନ ମୋ ବବୋଲକର’। ଗାଁର ଯୁବକମାନେ ମିଶି ଯାତ୍ରା କରିଥାଆନ୍ତେ। ନାଟକରେ ନାୟକ ହୋଇଥିଲେ ଉକ୍ତ ଗାଁର ଉତ୍କଳ କେଶରୀ ସ୍ୱାଇଁ। ଆଉ ନାୟିକା, ପାର୍ଶ୍ୱ ନାୟିକା, ଚରିତ୍ର ଅଭିନେତ୍ରୀ ଭୂମିକାରେ ଅଭିନୟ କରିବା ପାଇଁ କଟକ ବଇଆଳିସି ମୌଜାର ସବଳପୁର ଗାଁ ରାଜଲକ୍ଷ୍ମୀ ରାଉତ, ନେମାଳ ମାଣିକପୁରର ରୁବିତା ନାଥ, ରାଣୀହାଟର କୁସୁମଲତା ଆଚାର୍ଯ୍ୟ, ବାଲେଶ୍ୱର ଭୋଗରାଇର ଜ୍ୟୋତ୍ସ୍ନାରାଣୀ ପରମାଣିକ ଓ ଭଦ୍ରକ ସାହାଡ଼ା ଗାଁର ବେବିରାଣୀ ଦାସ ଆସିଥିଲେ।ରବିବାର ରାତି ସାରା ରିହର୍ସଲ୍‌ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ଡାଇଲଗ୍‌ ପ୍ରାକ୍ଟିସ୍‌। ତା’ପରେ ବିଶ୍ରାମ ନେଇଥିଲେ। ସକାଳେ ସମସ୍ତେ ଘରକୁ ଫେରିବା ପାଇଁ ଗଣ୍ଡାକିଆ ଛକ୍‌କୁ ଯାଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଗୋଟିଏ ବସ୍‌ ଆସିଥିଲା। ହେଲେ ବସ୍‌ରେ ପ୍ରବଳ ଭିଡ଼ ହୋଇଥିବାରୁ ଅଭିନେତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ଯାତ୍ରାର ନାୟକ ଉତ୍କଳ କେଶରୀ ସ୍ୱାଇଁ ନିଜ ବୋଲେରୋରେ ସମସ୍ତଙ୍କୁ ବସାଇ କେନ୍ଦ୍ରାପଡ଼ା ବସଷ୍ଟାଣ୍ଡରେ ଛାଡ଼ିବାକୁ ବାହାରିଲେ।ଓସ୍ତପୁର ପଞ୍ଚାୟତର ତିଆଡି କଣ୍ଡିଆର ବୁଲାଣୀରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ବୋଲେରୋଟି ଦୁଇଫାଳ ହୋଇଯାଇଥିଲା। ଶେଷ ଯାତ୍ରାରେ ଚାଲିଗଲେ ନାୟିକା ରାଜଲକ୍ଷ୍ମୀ ରାଉତ, ଜ୍ୟୋତ୍ସ୍ନାରାଣୀ ପରମାଣିକ ଓ ବେବିରାଣୀ ଦାସ। ତେବେ ଅଭିନେତ୍ରୀ ରୁବିତା ନାଥ, କୁସୁମଲତା ଆଚାର୍ଯ୍ୟ, ନାୟକ ତଥା ଗାଡ଼ି ଚାଳକ ଉତ୍କଳ କେଶରୀ ସ୍ୱାଇଁ ଓ ଡ୍ରାମାଟିକ କ୍ଲବର ସଦସ୍ୟ ଅଲେଖ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଯାତ୍ରାର ନାୟକ ଉତ୍କଳ କେଶରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking