ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଧୀରେଧୀରେ ନକ୍ସଲଙ୍କ ଗତିବିଧି କମୁଥିଲେ ମଧ୍ୟ ଜଂଗଲରେ ନକ୍ସଲ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଏବଂ ଜଂଗଲରେ ନକ୍ସଲ ବିଛାଇଥିବା ଲ୍ୟାଣ୍ଡମାଇନକୁ ନଷ୍ଟ କରିବା ପାଇଁ ଯବାନ ପ୍ରତିଦିନ ଜଂଗଲରେ ସର୍ଚ୍ଚ ଅପରେସନ କରୁଛନ୍ତି। ଏହି କ୍ରମରେ ଆଜି ମଧ୍ୟ କାଂକେର ଜିଲ୍ଲାର ଛୋଟେବେଠିଆ ଥାନା ଅନ୍ତର୍ଗତ କାଂକେର ଏବଂ ନାରାୟଣପୁର ସୀମାନ୍ତ ଜଂଗଲରେ ଯବାନ କମ୍ବିଂ ପାଇଁ ବାହାରିଥିଲେ। ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଦ୍ବାରା ଅସ୍ତ୍ରଶସ୍ତ୍ର ଲୁଚାଇଥିବା ଏକ ଡମ୍ପକୁ ଉଦ୍ଧାର କରଥିଲେ। ଏହି ଡମ୍ପରୁ ଯବାନ ଅତି ସତର୍କତାର ସହ ଅସ୍ତ୍ରଶସ୍ତ୍ର କାଢିବା ସହ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରୁଥିବା ବେଳେ ଏକ ବଡ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ତେବେ ଗୁରୁତର ତିନି ଯବାନ ଇନସପେକ୍ଟର ସୁଖରାମ ବେଟ୍ଟି, କନେଷ୍ଟବଲ କୃଷ୍ଣା କୋମରା ଓ ସଂଜୟ ଗଢପାଲ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିବା ବେଳେ କନେଷ୍ଟବଲ ପରମାନନ୍ଦ କୋମରା ଗୁରୁତର ଆହତ ହୋଇଥିଲେ। ଆହତ ପରମାନନ୍ଦଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉକି ଆତ୍ମସମର୍ପଣ କରୁଥିବା ନକ୍ସଲମାନେ ପୁଲିସକୁ ଜଂଗଲରେ ନକ୍ସଲ ଲୁଚାଇଥିବା ଲ୍ୟାଣ୍ଡମାଇନ ଓ ଅସ୍ତ୍ରଶସ୍ତ୍ର ସଂପର୍କରେ ସୂଚନା ଦେଉଛନ୍ତି। ଏହି ଆଧାରରେ ଆଜି ବି ପୁଲିସ ଡିଆରଜି ଯବାନଙ୍କୁ ନେଇ ସର୍ଚ୍ଚ ଅପରେସନ କରୁଥିଲେ।










