ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍(ସ୍ପେଶାଲ ଟାସ୍କ ଫୋସ) ଜଗତସିଂହପୁରରେ ଚଢ଼ଉ କରି ୩ଜଣ ବ୍ରାଉନସୁଗର ବେପାରୀଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁରର ମହାକାଳସରାର ପ୍ରଶାନ୍ତ କୁମାର ବେହେରା, ରାଇବରାଇର ପରେଶ ରଞ୍ଜନ ମହାନ୍ତି, ବାଲିକୁଦାର, ତୋଫାନ କୁମାର ମଲ୍ଲିକ । ଏମାନଙ୍କ ଠାରୁ ୩୧୦ଗ୍ରାମ ବ୍ରାଉନସୁଗର ସମେତ ୨ଟି ବାଇକ୍ ଜବତ ହୋଇଛି । ଏନେଇ ଜଗତସିଂହପୁର ଥାନା ପୁଲିସ ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ଜଗତସିଂହପୁରରେ ବ୍ରାଉନସୁଗର ବେପାର କରନ୍ତି । ଏସମ୍ପର୍କରେ ଏସ୍ଟିଏଫ୍ ଖବରପାଇ ସେମାନଙ୍କୁ ଧରିବାକୁ ଯୋଜନା କରିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଚାରମାରସାହି ନିକଟରେ ପ୍ରଶାନ୍ତ, ପରେଶ ଓ ତୋଫାନ ଦୁଇଟି ବାଇକ୍ରେ ବ୍ରାଉନସୁଗର ଧରି ଛିଡ଼ା ହୋଇଥିଲେ । ଏତିକିବେଳେ ଏସ୍ଟିଏଫ୍ ଓ ଜଗତସିଂହପୁର ପୁଲିସ ମିଳିତ ଭାବେ ତାଙ୍କ ଉପରେ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ସେମାନ ଖସିଯିବାକୁ ଉଦ୍ୟମ କରିଥିଲେ ବି ଧରାପଡ଼ିଯାଇଥିଲେ । ଏହାପରେ ସେମାନଙ୍କୁ ଜଗତସିଂହପୁର ଥାନାକୁ ନିଆଯାଇଥିଲା । ସେଠାରେ ଜେରା କରିବାରୁ ସେମାନେ ବ୍ରାଉନସୁଗର ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିଶା କାରବାର ଉପରେ ରୋକ୍ ଲଗାଇବାକୁ ଏସ୍ଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି । ୨୦୨୦ରୁ ଏପର୍ଯ୍ୟନ୍ତ ୫୦କିଲୋରୁ ଊର୍ଦ୍ଧ୍ୱ ବ୍ରାଉନସୁଗର, ୯୧କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ୧୩୩ରୁ ଅଧିକା ନିଶାବେପାରୀଙ୍କୁ ଗିରଫ କରାଯାଇଥିବା ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି ।