ନୂଆଦିଲ୍ଲୀ : ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନବନିର୍ବାଚିତ ରାଷ୍ଟ୍ରପତି ଓ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଲାଗି ରାତ୍ରିଭୋଜନର ଆୟୋଜନ କରିବେ । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ପ୍ରାୟ ୭ଟାରେ ସେହି ରାତ୍ରିଭୋଜନ ଅନୁଷ୍ଠିତ ହେବ ।ସେପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁକ୍ରାବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦାୟକାଳୀନ ରାତ୍ରିଭୋଜନରେ ଆପ୍ୟାୟିତ କରିବେ। ସେହି ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟ ବି ମହଜୁଦ ରହିବେ । ସନ୍ଧ୍ୟା ୫.୩୦ ପରେ ଦିଲ୍ଲୀର ଅଶୋକା ହୋଟେଲ୍ରେ ତାହା ଆୟୋଜିତ ହେବ । ସେଠାରେ ଲୋକସଭା ବାଚସ୍ପତି ବିଦାୟକାଳୀନ ଅଭିଭାଷଣ ରଖିବେ । ରାମନାଥ କୋବିନ୍ଦଙ୍କୁ ସଦସ୍ୟମାନଙ୍କ ପକ୍ଷରୁ ଏକ ପ୍ରଶସ୍ତିପତ୍ର, ସ୍ମୃତି ଚିହ୍ନ ଓ ସାଂସଦଙ୍କ ଦ୍ୱାରା ହସ୍ତାକ୍ଷରିତ ଏକ ହସ୍ତାକ୍ଷର ପୁସ୍ତିକା ବି ଉପହାର ଦିଆଯିବ ।