ଢେଙ୍କାନାଳ : ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏକ ବସଯୋଗେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିବା ୨୪ ଜଣ ଶ୍ରମିକଙ୍କୁ ସଦର ଥାନା ଅନ୍ତର୍ଗତ କାମାକ୍ଷା ଛକ ନିକଟରୁ ଉଦ୍ଧାର କରାଯାଇଛି । ଦଲାଲ୍ମାନଙ୍କ ସହିତ ସମ୍ପୃକ୍ତ ଶ୍ରମିକମାନଙ୍କୁ ଧରି ପୁଲିସ ଶ୍ରମ କାର୍ଯ୍ୟାଳୟକୁ ଆଣିଥିବା ଜଣାଯାଇଛି । ତାମିଲିନାଡୁରେ ଯୁବକମାନଙ୍କୁ ବିନା ପଞ୍ଜିକରଣରେ ପଠାଯାଉଥିବା ଜାଣିବା ପରେ ତାଙ୍କୁ ନେଇ ଯାଉଥିବା ବସ୍ କଣ୍ଡକ୍ଟର ଓ ସରପଞ୍ଚଙ୍କୁ ନୋଟିସ୍ ପଠାଯାଇଥିବା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ତଦନ୍ତ ପରେ ୨୪ଜଣ ଯୁବକଙ୍କୁ ତାଙ୍କ ନିଜ ଗ୍ରାମକୁ ପଠାଇ ଦିଯାଯାଇଛି । ଉଦ୍ଧାର ଯୁବକମାନେ କଙ୍କଡ଼ାହାଡ଼ ବ୍ଲକ କେରଜୁଳି, ପରଜଙ୍ଗ ଥାନା ବାରିହାପୁର ଗ୍ରାମ ଓ କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳର ବୋଲି ଜଣାପଡିଛି । ଏହି ଶ୍ରମିକମାନଙ୍କୁ ନେଇ ଯାଉଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କନ୍ତୁରେଇ ଅଞ୍ଚଳର ସଞ୍ଚୟ ସାହୁକୁ ଅଟକ ରଖି ପଚରାଉଚରା କରାଯାଉଛି । ସଞ୍ଜୟ ତାମିଲନାଡୁର ଏକ ଶିଶୁ ଖାଦ୍ୟ ତିଆରି କାରଖାନରେ କାର୍ଯ୍ୟକରିବାକୁ ସମ୍ପୃକ୍ତ ଯୁବକଙ୍କୁ ପଠାଉଥିବା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କହିଥିବା ଜଣାଯାଇଛି । ତେବେ ଲକ୍ଡାଉନ୍ ଯୋଗୁ କାମଧନ୍ଦାର ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁ କାମ ପାଇଁ ତାମିଲନାଡୁ ଯିବାକୁ ବାଧ୍ୟ ହୋଇଥିବା ଉଦ୍ଧାର ଶ୍ରମିକମାନେ କହିଛନ୍ତି ।