26.1 C
Bhubaneswar
Thursday, September 19, 2024
Homeଓଡିଶା୨୩ତମ ହେପାଟାଇଟିସ୍‍-ବି ନିରାକରଣ ଦିବସ ୨୦୨୩; ୯୫% ଅସୁସ୍ଥତା ସମ୍ପର୍କରେ ଅଜ୍ଞ, ୧%ରୁ କମ୍‍ ନେଉଛନ୍ତି...

୨୩ତମ ହେପାଟାଇଟିସ୍‍-ବି ନିରାକରଣ ଦିବସ ୨୦୨୩; ୯୫% ଅସୁସ୍ଥତା ସମ୍ପର୍କରେ ଅଜ୍ଞ, ୧%ରୁ କମ୍‍ ନେଉଛନ୍ତି ଚିକିତ୍ସା ସୁବିଧା

ଭୁବନେଶ୍ୱର: ଭୁତାଣୁଜନିତ ହେପାଟାଇଟିସ୍‍ ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୧୪ ଲକ୍ଷ ଲୋକଙ୍କର ଜୀବନ ନେଉଛି । ବର୍ଷକୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ହେପାଟାଇଟିସ୍‍ରେ ଆକ୍ରାନ୍ତ ହେଉଛନ୍ତି ଏବଂ ଅଧିକାଂଶ ସେମାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ ନୁହଁନ୍ତି । ବ୍ୟାପକ ଯାଞ୍ଚ, ନିରୂପଣ ଏବଂ ସେମାନଙ୍କର ଯତ୍ନ ନିଆନଯିବା ପର୍ଯ୍ୟନ୍ତ ଅଧିକରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେବେ ଏବଂ ଜୀବନ ହାନି ଘଟିଚାଲିବ ବୋଲି ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ ଅବସରରେ ୨୦୨୩ କଳିଙ୍ଗ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଫାଉଣ୍ଡେସନ (କେଜିଏଫ୍‍) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇ କହିଛନ୍ତି ।

ହେପାଟାଇଟିସ୍‍ ବି ଟିକା ଆବିଷ୍କାର ନିମନ୍ତେ ନୋବେଲ ପୁରସ୍କାର ବିଜେତା ପ୍ରଫେସର ବି ଏସ୍‍ ବ୍ଲୁମ୍‍ବର୍ଗଙ୍କ ସମ୍ମାନାର୍ଥେ ଗଠିତ ବ୍ଲୁମ୍‍ବର୍ଗ ବ୍ୟାଖ୍ୟାନରେ ନ୍ୟୁୟର୍କସ୍ଥିତ ନର୍ଥ ଶୋର୍‍ ୟୁନିଭରସିଟି ହସ୍‍ପିଟାଲର ବିଶିଷ୍ଟ ହେପାଟୋଲୋଜିଷ୍ଟ ପ୍ରଫେସର ସଞ୍ଜୟ ଶତପଥୀ ବିଶିଷ୍ଟ ହେପାଟୋଲୋଜିଷ୍ଟ ପ୍ରଫେସର ସଞ୍ଜୟ ଶତପଥୀ କହିଥିଲେ, ଦୀର୍ଘକାଳ ଧରି ସଂକ୍ରମିତ ହେଉଥିବା ରୋଗୀ ଯେଉଁମାନେ ଉପଯୁକ୍ତ ଚିହ୍ନଟ ଏବଂ ଚିକିତ୍ସା ସେବାର ସୁଯୋଗ ନେଉନାହାନ୍ତି ସେମାନେ ପରିଶେଷରେ ସିରୋସିସ୍‍, ଯକୃତ କର୍କଟ ଅଥବା ଅନ୍ୟାନ୍ୟ ଯକୃତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଅଧିକାଂଶ କ୍ଷେତ୍ରରେ ଡାକ୍ତରମାନେ ସହଜରେ ଟିକା ବ୍ୟବହାର କରି ଅଥବା ଆଣ୍ଟିଭାଇରାଲ ଔଷଧ ଚିକିତ୍ସାରେ ଏହି ରୋଗର ନିରାକରଣ କରିପାରିବେ ।

କେଜିଏଫ୍‍ ଚେୟାରମ୍ୟାନ୍‍ ପ୍ରଫେସର ଏସ୍‍ ପି ସିଂହ କହିଥିଲେ, ପ୍ରାୟ ୩୨୫ ନିୟୁତ ଲୋକ ଭୂତାଣୁଜନିତ ହେପାଟାଇଟିସ୍‍ରେ ଆକ୍ରାନ୍ତ ହେଉଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨୪୦ ନିୟୁତ ଲୋକ ଦୀର୍ଘକାଳ ଧରି ହେପାଟାଇଟିସ୍‍ ବି’ରେ ଆକ୍ରାନ୍ତ । ସେହିଭଳି ୮୦ ନିୟୁତ ଲୋକ ଦୀର୍ଘକାଳ ଧରି ହେପାଟାଇଟିସ୍‍ ସି’ରେ ଆକ୍ରାନ୍ତ ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ ଏହି ସଂକ୍ରମିତ ଲୋକଙ୍କ ମଧ୍ୟରୁ ୯୫% ସେମାନଙ୍କ ଅସୁସ୍ଥତା ସମ୍ପର୍କରେ ଅଜ୍ଞ ଏବଂ ୧%ରୁ କମ୍‍ ଲୋକ ଚିକିତ୍ସା ସୁବିଧାର ସୁଯୋଗ ନେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ ଷ୍ଟ୍ରାଟେଜି ଅନ୍‍ ଭାଇରାଲ ହେପାଟାଇଟିସ୍‍ ଏହି ରୋଗକୁ ୨୦୩୦ ସୁଦ୍ଧା ମୂଳୋତ୍ପାଟନ କରିବା ଲକ୍ଷ୍ୟ ରଖିଛି ଏବଂ ସଚେତନତା ବୃଦ୍ଧି ନିମନ୍ତେ ‘ନୋହେପ୍‍’ ଅଭିଯାନ ଆରମ୍ଭ କରିଛି ।

ଏହି ରଣକୌଶଳରେ ପରୀକ୍ଷଣ, ନିରାକରଣ ଏବଂ ଚିକିତ୍ସା ଆଦି ବ୍ୟବସ୍ଥା ସରକାରଙ୍କ ପାଇଁ ଯୋଗାଇ ଦେଉଛି । ସରକାରଗୁଡିକ ଏହି ଲକ୍ଷ୍ୟ ହାସଲ କରିପାରିଲେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ଓ ଚିକିତ୍ସା ଯୋଗାଇ ଦିଆଯଇପାରିବ, ଏବଂ ତଦ୍ଦ୍ୱାରା ହେପାଟାଇଟିସ୍‍ ଜନିତ ମୃତ୍ୟୁରେ ୬୫% ହ୍ରାସ ଘଟିବ ଏବଂ ୨୦୩୦ ସୁଦ୍ଧା ୭୦ ଲକ୍ଷ ଲୋକଙ୍କର ଜୀବନ ରକ୍ଷା କରାଯାଇପାରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶିବ ମହାନ୍ତି କହିଥିଲେ ଯେ ଏହି ରୋଗର ପ୍ରଭାବ ସୁଦୂର ପ୍ରସାରୀ, ଯାହା କେବଳ ବ୍ୟକ୍ତିବିଶେଷ ନୁହେଁ, ସାରା ସମୁଦାୟ ଏବଂ ସମସ୍ତ ରାଷ୍ଟ୍ରଗୁଡିକୁ ପ୍ରଭାବିତ କରୁଛି । ସଚେତନତା ସୃଷ୍ଟି ଏବଂ ଟିକାକରଣ ତଥା ଚିକିତ୍ସା ସୁବିଧା ଯୋଗାଇଦେବା କ୍ଷେତ୍ରରେ ଗତ ଦୁଇ ଦଶନ୍ଧି ଧରି କେଜିଏଫ୍‍ର ପ୍ରୟାସକୁ ପ୍ରଶଂସା କରି ଶ୍ରୀ ମହାନ୍ତି ହେପାଟାଇଟିସ୍‍ ବୋଝ ଲାଘବ ନିମନ୍ତେ ସଫଳତାର ସହିତ ମୁକାବିଲା କରିବାକୁ ସଚେତନତା, ଶିକ୍ଷା, ସୁଯୋଗ ଏବଂ ସ୍ୱାସ୍ଥ୍ୟସେବା ଆଦି ବହୁମୁଖୀ ପ୍ରୟାସ ନିମନ୍ତେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ବାର୍ଷିକ କେଜିଏଫ୍‍ ପୁରସ୍କାର ଦି ନ୍ୟୁ ଇଣ୍ଡିଆନ୍‍ ଏକ୍ସପ୍ରେସର ଆସୋସିଏଟ ଏଡିଟର, ଭୁବନେଶ୍ୱରଙ୍କୁ ଜନସ୍ୱାସ୍ଥ୍ୟ ପ୍ରସଙ୍ଗ କ୍ଷେତ୍ରରେ ସାମ୍ବାଦିକତା କୃତି ନିମନ୍ତେ ପ୍ରଦାନ କରାଯାଇଥିଲା । ଶିବ ପାଣିଗ୍ରାହୀ ସମ୍ମାନ ଆର୍ଟିଷ୍ଟ ଜିତେନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ହେପାଟାଇଟିସ୍‍ ଉପରେ ଚିତ୍ରକଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ଆର୍ଟିଷ୍ଟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେଜିଏଫ୍‍ ସେକ୍ରେଟାରୀ ତୁହିନକାନ୍ତି ଘୋଷ ଏବଂ ଆବାହକ ପ୍ରଫେସର ନିରଞ୍ଜନ ରାଉତ ମଧ୍ୟ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking