18.1 C
Bhubaneswar
Friday, December 27, 2024
Homeଓଡିଶା୨୨ ବର୍ଷର ପୁଅ କିଡ୍‌ନୀ ରୋଗରେ ଆକ୍ରାନ୍ତ: ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ବାପା-ମା’

୨୨ ବର୍ଷର ପୁଅ କିଡ୍‌ନୀ ରୋଗରେ ଆକ୍ରାନ୍ତ: ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ବାପା-ମା’

ଖଲ୍ଲିକୋଟ:  ୨୨ ବର୍ଷୀୟ ପୁଅ କିଡ୍‌ନି ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ବାପା-ମା ମାଗୁଛନ୍ତି ଭିକ । ପୁଅର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ କେବଳ ଡାଇଲେସିସ ପାଇଁ ପନ୍ଦର ଶହ ଟଙ୍କାର ସହାୟତା ମିଳୁଥିବାରୁ ପୁଅର ଅନ୍ୟାନ୍ୟ ଚିକିତ୍ସା ପାଇଁ ଭିକ୍ଷାବୃତ୍ତି କରୁଛନ୍ତି ବାପା-ମା । ଆଖିରେ ଲୁହ, ହାତରେ ଭିକ୍ଷା ଥାଳ ଓ ମନରେ ପୁଅକୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପଥରା ଗ୍ରାମ ମଝି ସାହିର ।

ଏହି ଗ୍ରାମର ଲକ୍ଷ୍ମଣ ସାଧବ ଓ ସଞ୍ଜୁତା ସାଧବଙ୍କ ମଝିଆ ପୁଅ ନିରାକାର ସାଧବ କିଡ୍‌ନୀ ରୋଗରେ ଆକ୍ରାନ୍ତ । ଲକ୍ଷ୍ମଣ ସାଧବଙ୍କ ପରିବାର ମତ୍ସ୍ୟଜୀବୀ ସଂପ୍ରଦାୟର ହୋଇଥିବା ବେଳେ ଚିଲିକାରେ ମାଛ, ଚିଙ୍ଗୁଡ଼ି ଉତ୍ପାଦନ କମି ଯାଉଥିବାରୁ ପୁଅ ନିରାକାର ଟଙ୍କା ରୋଜଗାର କରିବା ପାଇଁ ବିଦେଶ ଯାଇଥିଲେ । ଦେହ ଅସୁସ୍ଥ ହେବାରୁ ବିଦେଶରୁ ଫେରି ଆସିଥିଲେ । ବାପା-ମା ନିରାକାରଙ୍କୁ ନେଇ ମେଡିକାଲ ଯାଇଥିଲେ କିନ୍ତୁ ସେଠାରେ ଜାଣିବାକୁ ପାଇଥିଲେ ପୁଅ କିଡ୍‌ନୀ ରୋଗରେ ଆକ୍ରାନ୍ତ ।

ଦୁଇଟି ଯାକ କିଡ୍‌ନୀ ଅଚଳ ହୋଇଯାଇଥିବା ଜାଣିବା ପରେ ଚିନ୍ତାରେ ପଡି ଯାଇଥିଲେ ବାପା-ମାଆ । ସେବେଠାରୁ ପୁଅକୁ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ଦେଖାଇଥିଲେ । କିନ୍ତୁ ପୁଅ ଭଲ ହୋଇନଥିଲା । ବିଜୁ ସ୍ୱାସ୍ଥ୍ୟ କାର୍ଡ ସାହାଯ୍ୟରେ କିଛି ସହାୟତା ନିରାକାରକୁ ମିଳିଥିବା ବେଳେ ଘରେ ଥିବା ସଞ୍ôଚତ ଟଙ୍କା ଓ ସୁନା ଗହଣା ବିକ୍ରି କରି ପୁଅକୁ ଦେଖାଇଥିଲେ । ବର୍ତ୍ତମାନ ସୁଦ୍ଧା ପୁଅର ଚିକିତ୍ସା ପାଇଁ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି । ତେବେ ସ୍ୱାସ୍ଥ୍ୟ କାର୍ଡରୁ ପ୍ରତି ଡାଏଲେସିସ ପାଇଁ ୧୫ ଶହ ଟଙ୍କା ମିଳୁଛି । ତେବେ ଅନ୍ୟାନ ଅବଶ୍ୟକ ଟଙ୍କା ଯୋଗାଡ କରିବା ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବାପା ଲକ୍ଷ୍ମଣ ଓ ମା ସଞ୍ଜୁତା ।

ପୁଅର ଅବସ୍ଥା ଦେଖି ମା’ର ଆଖିରୁ ଲୁହ ଶୁଖୁ ନଥିବା ବେଳେ ୨୨ ବର୍ଷୀୟା ଭେଣ୍ଡିଆ ପୁଅକୁ ବଞ୍ଚେଇବା ପାଇଁ ବାପା-ମାଆ ଭିକ୍ଷା ବୃତ୍ତି କରୁଛନ୍ତି । ନିରାକାର ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୁଅର କିଡ୍‌ନି ପ୍ରତିରୋପଣ କରିବା ପାଇଁ ଡାକ୍ତର କହିଛନ୍ତି । ଜୀବନ ବଞ୍ଚାଇବା ପାଇଁ କିଡ୍‌ନୀ ପ୍ରତିରୋପଣ ଏକମାତ୍ର ବାଟ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା ଯୋଗାଡ ହୋଇପାରୁନି ।

ନିରାକାରକୁ ବଞ୍ଚାଇବା ପାଇଁ ବାପା-ମା ଓ ଗ୍ରାମବାସୀ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି । ସରକାର, କୌଣସି ସଂଗଠନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ଏକ ମୂଲ୍ୟବାନ ଜୀବନ ବଞ୍ଚି ଯାଇପାରନ୍ତା । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖଲ୍ଲିକୋଟ ମେଡ଼ିକାଲର ଡାକ୍ତର ନର୍ମଦା ବିଶ୍ୱାଳ ଓ ଫାର୍ମାସିଷ୍ଟ ରତ୍ନାକର ସ୍ୱାଇଁ ପଥରା ଗ୍ରାମକୁ ଯାଇ ନିରାକାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ସମ୍ବନ୍ଧିତ ସମସ୍ତ କାଗଜପତ୍ର ଦେଖିଥିଲେ । ଏ ସମ୍ପର୍କରେ ସେମାନେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଡାକ୍ତର ନର୍ମଦା ବିଶ୍ୱାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking