ଜୟପୁର:ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ ୧ ମାସ ପରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି । ଏଥିସହ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁସାରେ ରାଜସ୍ଥାନରେ ନୂଆକରି ମୁଖ୍ୟମନ୍ତ୍ରୀ ହୋଇଥିବା ଭଜନଲାଲ୍ଙ୍କ କ୍ୟାବିନେଟ୍ରେ ମୋଟ୍ ୨୨ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରେ ୧୨ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୫ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟ ୫ଜଣଙ୍କୁ ସ୍ୱାଧୀନ ଦାୟିତ୍ୱ ଭାବେ କ୍ୟାବିନେଟ୍ରେ ସାମିଲ କରାଯାଇଛି । ନୂଆଦିଲ୍ଲୀରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଥିଲା । ତଦନୁସାରେ ରାଜ୍ୟ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ରାଜ୍ୟପାଳ କଲରାଜ ମିଶ୍ର ଏହି ନୂଆ ମନ୍ତ୍ରୀମାନଙ୍କୁ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ କରିଥିବା ଏହି ୨୨ଜଣଙ୍କ ମଧ୍ୟରୁ ଡାକ୍ତର କିରୋଡିଲାଲ ମୀନା ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଗଜେନ୍ଦ୍ର ସିଂହ ଖିମ୍ସାର, ବାବୁଲାଲ ଖରାଡି, ଜୋଗରାମ ପଟେଲ ଓ ମଦନ ଦିଲାୱର ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସୁରେଶ ସିଂ ରାୱତ୍, ଅବିନାଶ ଗେହଲଟ୍ ଏବଂ ଜୋରାରାମ୍ କୁମାୱତ୍, ହେମନ୍ତ ମୀନା, କହ୍ନେୟାଲାଲ ଚୌଧୂରୀ ଏବଂ ସୁମିତ ଗୋଦାରା ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାପରେ ସଞ୍ଜୟ ଶର୍ମା, ଗୌତମ କୁମାର, ଝାବର ସିଂ ଖାରା, ସୁରେନ୍ଦ୍ର ପାଲ୍ ସିଂହ ଟିଟି, ହୀରାଲାଲ ନାଗର ପ୍ରମୁଖ ସ୍ୱାଧୀନ ଦାୟିତ୍ୱ ଭାବେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେହିପରି ଓଟାରାମ ଦେୱାସୀ, ମଞ୍ଜୁ ବାଗମାର, ବିଜୟ ସିଂ ଚୌଧୂରୀ, କେକେ ବିଷ୍ଣୋଇ ଏବଂ ଜୱାହର ସିଂ ବେଦମ୍ ପ୍ରମୁଖ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି ।
ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସୁରେନ୍ଦ୍ରପାଲ ସିଂ ଟିଟିଙ୍କୁ ଭଜନଲାଲଙ୍କ ଏହି ୨୨ଜଣିଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ସେ ବିଧାନସଭା ନିର୍ବାଚନ ଲଢ଼ିନଥିବା ସତ୍ତ୍ୱେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରାଯାଇଛି । ତେବେ ଆସନ୍ତା ୫ ତାରିଖରେ ବିଧାନସଭା କ୍ଷେତ୍ର ଶ୍ରୀକରନପୁର ଆସନ ପାଇଁ ହେବାକୁ ଥିବା ମତଦାନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ଚୂଡାନ୍ତ ଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ପ୍ରକାଶ, ନଭେମ୍ବର ୨୫ରେ ୨ଠଠ ବିଧାନସଭା ଆସନ ମଧ୍ୟରୁ ୧୯୯ଟି ଆସନରେ ହିଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ସେସମୟରେ ଶ୍ରୀକରନପୁରରେ ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବାରୁ ଏଠାରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଡିସେମ୍ବର ୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା । ଏଥିରେ ବିଜେପି ୧୧୫ ଆସନ ଜିତିଥିବା ବେଳେ କଂଗ୍ରେସ ୬୯ ଆସନରେ ସୀମିତ ରହିଯାଇଥିଲା ।