29.1 C
Bhubaneswar
Thursday, May 7, 2026
Homeଓଡିଶାଗଜପତିରେ ୨୧ ମେଟ୍ରିକ ଟନ, ବରଗଡ଼ରେ ୧୯୧୪ କେଜି ଓ ସୁବର୍ଣ୍ଣପୁରରେ ୧ କ୍ୱିଣ୍ଟାଲରୁ ଅଧିକ...

ଗଜପତିରେ ୨୧ ମେଟ୍ରିକ ଟନ, ବରଗଡ଼ରେ ୧୯୧୪ କେଜି ଓ ସୁବର୍ଣ୍ଣପୁରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

କଟକ: ସାରା ରାଜ୍ୟରେ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଥିବା “ନିଶା ମୁକ୍ତ ଓଡ଼ିଶା” ଅଭିଯାନରେ ବିଗତ କିଛି ଦିନ ମଧ୍ୟରେ ବଡ଼ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ ପକ୍ଷରୁ ଚାଲିଥିବା ଗୁଇନ୍ଦା ଭିତ୍ତିକ ସ୍ୱତନ୍ତ୍ର ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। ବିଶେଷକରି ଗଜପତି, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଜପତି ଜିଲ୍ଲାର ଆର୍‌. ଉଦୟଗିରି ଓ ଅଡବା ଥାନା ପୋଲିସ ପକ୍ଷରୁ ବିଗତ କିଛି ଦିନ ମଧ୍ୟରେ କିରାମା, ସମ୍ବଲପୁର, କେଶରୀଗୁଡା ଓ ରାଇପଙ୍କା ଗ୍ରାମପଞ୍ଚାୟତ ଅଞ୍ଚଳରେ ନିରନ୍ତର ଚଢ଼ାଉ କରାଯାଇଥିଲା। ଏହି ଅଞ୍ଚଳଗୁଡିକରେ ମୋଟ ୨୧ ଟି ଚଢ଼ାଉ କରାଯାଇ ପ୍ରାୟ ୨୧ ମେଟ୍ରିକ ଟନ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ୦୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୦ରୁ ୧୨ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ସେଥିସହ ଅପରାଧରେ ବ୍ୟବହୃତ ୦୩ଟି ଯାନବାହନ ମଧ୍ୟ ଜବତ କରାଯାଇଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ନିଶାଦ୍ରବ୍ୟ ଓ ଅବୈଧ ମଦ ବିରୋଧୀ ଅଭିଯାନରେ ମଧ୍ୟ ବଡ଼ ସଫଳତା ମିଳିଛି। ଗୁଜା ଗ୍ରାମରେ ବେଆଇନ ଗଞ୍ଜେଇ ଓ ଦେଶୀ ମହୁଲି ମଦ କାରବାର ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ମୋଟ ୦୧ କ୍ୱିଣ୍ଟାଲ ୫୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ୮୫ ହଜାର ଟଙ୍କା। ଏହାସହ ୨୦୦ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଥିବା ବେଳେ ପ୍ରାୟ ୫୦୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିଲା। ସେହିପରି ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ପୋଲିସ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ବଡ଼ ସଫଳତା ହାସଲ କରିଛି। ଗତ ୦୫ ତାରିଖ ରାତିରେ ପାଇକମାଲ ଥାନା କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଝାରବନ୍ଧ ଅଞ୍ଚଳରେ ଏକ ଟ୍ରକ ତଲାସି କରି ୧୯୧୪ କେଜି ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ପୋଲିସ ୦୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି। ସେଥିସହ ଅପରାଧରେ ବ୍ୟବହୃତ ୦୩ଟି ଯାନବାହନ ମଧ୍ୟ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ କାରବାରକୁ ମୂଳପୋଛ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ସଂଘବଦ୍ଧ ଅଭିଯାନ ଚାଲିଛି। ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ତୃଣମୂଳ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ମାଦକ ଦ୍ରବ୍ୟ କାରବାର ବିରୋଧରେ ଓଡ଼ିଶା ପୋଲିସ “ଶୂନ୍ୟ ସହନଶୀଳତା” ନୀତି ଅନୁସରଣ କରୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଆହୁରି ଜୋରଦାର ଭାବେ ଜାରି ରହିବ ବୋଲି ଡିଜିପି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking