– ‘ଆମ ଓଡିଶା ନବୀନ ଓଡ଼ିଶା’ ପାଇଁ ୧,୩୦୨ କୋଟି ଟଙ୍କା
– କ୍ରିଡ଼ା ଓ ଦକ୍ଷତା ବିକାଶ ପାଇଁ ୩,୬୫୧ କୋଟି
– କୃଷକ କଲ୍ୟାଣ, ଜଳସେଚନ ଓ ଖାଦ୍ୟ ନିରାପତ୍ତା ପାଇଁ ୪୪୩୩ କୋଟି
– ଅନୁସୂଚିତ ଜାତି, ଶିଳ୍ପ ଓ ଏମ୍ଏସ୍ଏମଇ କ୍ଷେତ୍ର ପାଇଁ ୩,୨୦୫ କୋଟି
– ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କା
– କୁଶଳୀ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ‘ନାନୋ ୟୁନିକର୍ଣ୍ଣ’ ଯୋଜନା
– ଗ୍ରାମ ପଞ୍ଚାୟତକୁ ସୂଚନା ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ ପାଇଁ ୨୫୨ କୋଟି
ଭୁବନେଶ୍ୱର: ମୁଣ୍ଡ ଉପରେ ନିର୍ବର୍ାଚନ ଥିବାରୁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି । ବିଧାନସଭାରେ ଉପସ୍ଥାପିତ ପ୍ରଥମ ଅତିରିକ୍ତ ବଜେଟ୍ରେ ଗ୍ରାମ୍ୟ ଭିତ୍ତିଭୂମି, କୃଷି, ଶିକ୍ଷା ଓ ଜଳସେଚନକୁ ଅଧିକ ଗୁରୁତ୍ୱ ଦେବା ସହ ନିକଟ ଅତୀତରେ ଘୋଷିତ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବରାଦ କରିଛନ୍ତି । ଏନେଇ ସରକାର ଖୋଲା ବଜାରରୁ ଋଣ କରିବେନାହିଁ । ଅନ୍ୟପକ୍ଷରେ ତିନିବର୍ଷ ଧରି ରାଜ୍ୟର କମୁଛି ମୁଣ୍ଡପିଛା ଋଣଭାର । ଗତ ଜୁଲାଇ ସୁଦ୍ଧା ମୋଟ୍ ଋଣ ପରିମାଣ ୮୮,୭୮୭ କୋଟି ଥିବାବେଳେ ମୁଣ୍ଡପିଛା ଋଣଭାର ମାତ୍ର ୧୯,୧୭୧ ଟଙ୍କା ରହିଛି । ତାହା ମୋଟ୍ ଋଣ ପରିମାଣର ୧୦.୩% ଏବଂ ଅନ୍ୟ ରାଜ୍ୟ ଠାରୁ ତାହା ବହୁତ କମ୍ । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁ୍ଖ ।
ଶୁକ୍ରବାର ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ ହୋଇଛି । ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷର ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ଏଥିରେ ୫ଟି କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି । ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ କରାଯାଇଛି । ଓଡ଼ିଶା ଆକସ୍ମିକ ପାର୍କରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ସହ ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ଏଥିରେ ଅନ୍ତର୍ଭୂକ୍ତ ରହିଛି । ସେହିପରି ଅତିରିକ୍ତ ବଜେଟ୍୨୦୨୩-୨୪ରେ ବତ୍ତୀୟ ଉତ୍ତରଦାୟିତ୍ୱ ଓ ବଜେଟ୍ ପରିଚାଳନା ବା ଏଫଆରବିଏମ୍ ଅଧିନିୟମକୁ ଅନୁପାଳନ କରୁଛି । ଏହି ବଜେଟ୍ ସହ ରାଜସ୍ୱ ବଳକା ସ୍ଥିତି ବଜାୟ ରହିବ ଏବଂ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍ଡିପି)ର ୩% ମଧ୍ୟରେ ସୀମିତ ରହିବ । ଋଣ ଓ ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍ଡିପି)ର ଅନୁାପତ ସ୍ତିରିକୃତ ୨୫% ମଧ୍ୟରେ ସୀମିତ ରହିବାର ବ୍ୟବସ୍ଥା ରହିବାର ଅନୁମାନ କରାଯାଉଛି । ଖଣି ରାଜସ୍ୱ ଟାର୍ଗେଟ୍ ୪୫ ହଜାର କୋଟି ରହିଛି । ତେବେ ନିଜସ୍ୱ ରାଜସ୍ୱ ବାବଦକୁ ରାଜ୍ୟ ସରକାର ୪୧,୨୦୦ କୋଟି ଟଙ୍କା ଆଦାୟ କରିଛନ୍ତି । ତାହା ଧାର୍ଯ୍ୟ ଲକ୍ଷ୍ୟର ୩୯% ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।
ପ୍ରଶାସନିକ ବ୍ୟୟ- ୨,୮୬୪ କୋଟି
କାର୍ଯ୍ୟକ୍ରମ ବ୍ୟୟ – ୨୦,୧୦୦ କୋଟି
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି- ୪,୬୬୪ କୋଟି
ରାଜ୍ୟ ବଜେଟ୍ରୁ ସ୍ଥାନାନ୍ତର- ୫୭୨ କୋଟ
ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ, ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଓ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟ୍ କିଛି ନୂଆ ପଦକ୍ଷେପ ପାଇଁ ବ୍ୟୟବରାଦ କରାଯାଇଛି । ‘ଆମ ଓଡିଶା ନବୀନ ଓଡ଼ିଶା’ ପାଇଁ ୧,୩୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଲୋକେସନ ଆକ୍ସେସବିଲିଟି ମଲ୍ଟି ମଡେଲ ଇନିସିଏଟିଭ ଯୋଜନା ପାଇଁ ୫୫୬ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ପଞ୍ଚାୟତିରାଜ ସଂସ୍ଥା ମାଧ୍ୟମରେ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଛାତ୍ର-ଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ପାଇଁ ୧୨ କୋଟି ଟଙ୍କା ଏବଂ ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସହରୀ ଭିଭିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିିଶା ପରିବହନ ଡ୍ରାଇଭର ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ୨୧ କୋଟି ଟଙ୍କା ଏବଂ ‘ଜାଗୃତି’ ଯୋଜନା ଅଧୀନରେ ଲିଙ୍ଗ-ଭିଭିକ ହିଂସା ପୀଡ଼ିତା ମହିଳାଙ୍କର ସୁରକ୍ଷା, ବିକାଶ ଓ ସଶକ୍ତିକରଣ ପାଇଁ ୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଆଇସିଡିଏସ୍ ଅଧୀନରେ ରାଜ୍ୟ ସହାୟତା କେନ୍ଦ୍ର ପାଇଁ କୋଟି ଟଙ୍କା ପ୍ରଦାନ ସହ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ, ଇନୋଭେସନ ଓ ଫେଲୋସିପ ଯୋଜନା ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । କୁଶଳୀ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ‘ନାନୋ ୟୁନିକର୍ଣ୍ଣ’ ଯୋଜନା ଅଧୀନରେ ୫ କୋଟି ଟଙ୍କା, ସଂଖ୍ୟାଲଘୁ ବରଗକୁ ବିବାହ ସହାୟତା ପାଇଁ ୧୫ କୋଟି ଟଙ୍କା, ବ୍ଲକ୍ସ୍ତରୀୟ ବସ୍ ଷ୍ଟାଣ୍ଡଗୁଡିକର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ୧୪ କୋଟି ଟଙ୍କା ଏବଂ ଗ୍ରାମ ପଞ୍ଚାୟତକୁ ସୂଚନା ପ୍ରଯୁକ୍ତିବିଦ୍ୟା ସଂଯୋଗିକରଣ ପାଇଁ ୨୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି “ସୁଦକ୍ଷା’ ଯୋଜନା ଅଧୀନରେ ସରକାରୀ ଇଂଜିନିୟରିଂ ଓ ପଲିଟେକ୍ନିକ୍ରେ ପଢୁଥିବା ଛାତ୍ରୀଙ୍କର, ଚାକିରୀ ଦକ୍ଷତା ବୃଦ୍ଧି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୯ କୋଟି ପ୍ରଦାନ କରାଯାଇଥିବାବେଳେ ବୟନିକାର ୱର୍କିଙ୍ଗ କ୍ୟାପିଟାଲ ରିଭୋଲଭିଂ ଫଣ୍ଡ ପାଇଁ ୨୦ କୋଟି ବଙ୍କା ଟଙ୍କା ପ୍ରଦାନ କରାଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅତିରିକ୍ତ ବଜେଟ୍ରେ ପ୍ରଶାସନିକ ବ୍ୟୟ ଓ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ୱୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ୱାରା ବ୍ୟବସ୍ଥା କରାଯିବ । ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ୨୮୬୩ କୋଟି ବ୍ୟୟବରାଦ ହୋଇଥିବାବେଳେ ବିପର୍ଯ୍ୟୟ ପ୍ରଶମନ ପାଇଁ ୪,୬୯୮କୋଟିର ବ୍ୟୟ ବରାଦ ହୋଇଛି ।
ସେହିପରି କୃଷକ କଲ୍ୟାଣ, ଜଳସେଚନ ଓ ଖାଦ୍ୟ ନିରାପତ୍ତା ପାଇଁ ୪୪୩୩ କୋଟି ଟଙ୍କା, ଶିକ୍ଷା, କ୍ରିଡ଼ା ଓ ଦକ୍ଷତା ବିକାଶ ପାଇଁ ୩୬୫୧ କୋଟି, ଅନୁସୂଚିତ ଜାତି, ଶିଳ୍ପ ଓ ଏମ୍ଏସ୍ଏମଇ କ୍ଷେତ୍ର ପାଇଁ ୩୨୦୫ କୋଟି, ଭିତ୍ତିଭୂମି ବିକାଶ ପାଇଁ ୧୬୩୧ କୋଟି, ଜନଜାତି ବିକାଶ ପାଇଁ ୧୩୫୫ କୋଟି, ମିଶନ ଶକ୍ତି ପାଇଁ ୭୮୩ କୋଟି, ସାମାଜିକ ସୁରକ୍ଷା ପାଇଁ ୭୭୧ କୋଟି, ଜନସ୍ୱାସ୍ଥ୍ୟ ସେବା ନିମନ୍ତେ ୮୬୨ କୋଟି, ମହିଳା ଶସକ୍ତିକରଣ ଓ ଶିଶୁ ବିକାଶ ପାଇଁ ୪୬୯ କୋଟି, ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ପାଇଁ ୨୬୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ତେଣୁ ଏହା ଏକ ଲୋକାଭିମୁଖୀ ଏବଂ ବିତ୍ତୀୟ ବଳକା ଅତିରିକ୍ତ ବଜେଟ୍ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ବଜେଟ୍ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ସଚିବ ବିଶାଲ ଦେବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।