ଭୁବନେଶ୍ୱର: ୨୧ ଜୁନକୁ ସମଗ୍ର ବିଶ୍ୱରେ ପାଳନ କରାଯାଏ ଅନ୍ତର୍ଜାତୀୟ ଯୋଗ ଦିବସ । ବର୍ଷ ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ୧୯୩ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପସନ୍ଦ ଆସିଥିଲା । ମାତ୍ର ୯୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହୀତ ହୋଇଥିଲା । ତାପରେ ୨୧ ଜୁନ ୨୦୧୫କୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏହା ମଧ୍ୟ ଏପରି ଏକ ଆୟୋଜନ ଅଟେ ।
ଏହି ବର୍ଷ ୨୧ ଜୁନ୍ ରେ ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ । ବର୍ତ୍ତମାନ କରୋନା ଭାଇରସ ମହାମାରୀ ପରିସ୍ଥିତି ସମଗ୍ର ବିଶ୍ୱରେ ଚାଲୁ ରହିଛି । ତେଣୁ ଏହି ବର୍ଷ ଯୋଗ ଦିବସ ପାଇଁ ସମଗ୍ର ପ୍ରସ୍ତୁତି ଆମେ ଘରେ ରହି କରିପାରିବା । ଏଥରର ଯୋଗ ଦିବସରେ ଯୋଗ କୌଣସି ସାମୂହିକ ଭାବରେ କରାନଯାଇ, ‘ୟୋଗା ଏଟ୍ ହୋମ’ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସକୁ ନେଇ ଏକ ଇଭେଣ୍ଟ ଲଞ୍ଚ କରିଛନ୍ତି । ଏହାର ନାମ ରହିଛି ‘ମାଇଁ ଲାଇଫ ମାଇଁ ୟୋଗା’ । ଏହି ବିଷୟରେ ଗତମାସରେ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍ କି ବାତ୍ ‘ପ୍ରୋଗ୍ରାମରେ ସୂଚନା ଦେଇଥିଲେ ।
ଏହି ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ‘ ଘର୍ ପର୍ ୟୋଗା ଔର୍ ପରିଭାର୍ କେ ସାଥ୍ ୟୋଗା’ ଅର୍ଥାତ ଏହି ବର୍ଷ ଘରେ ରହିକରି ପରିବାର ସଦସ୍ୟଙ୍କ ସହ ଯୋଗ କରିବା । କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ଘରେ ରହି ଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହି କାରଣରୁ “ମାଇଁ ଲାଇଫ ମାଇଁ ୟୋଗା” କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି । ଫଳରେ ଜନସାଧାରଣମାନେ ନିଜ ନିଜ ପରିବାର ସହ ରହି ଯୋଗ କରିପାରିବେ ।
ଭିଡ଼ିଓ ବ୍ଲଗିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଭିଡ଼ିଓ ସେୟାର କରିବା ପାଇଁ ଦେଶର ସମସ୍ତ ଜନତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ତେବେ ‘ମାଇଁ ଲାଇଫ ମାଇଁ ୟୋଗା’ ପ୍ରତିଯୋଗିତା ଆୟୁଷ ମନ୍ତ୍ରାଳୟ ଏବଂ ଭାରତୀୟ ସଂସ୍କୃତି ସମ୍ବନ୍ଧ ପରିଷଦର ମିଳିତ ପ୍ରୟାସ ଅଟେ । ମଣିଷ ଜୀବନରେ ଯୋଗର ଭୂମିକା କିପରି ପ୍ରଭାବ ପକାଇଥାଏ ଓ ତାର ଉପକାରିତା ବିଷୟରେ ଜାଣିବା ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେବା ନିହାତି ଦରକାର ।