ଭାରତର ବୀର ଜବାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ : ଭାରତୀୟ ଯବାନ ଅସୀମ ସାହସ ଦେଖାଇଛନ୍ତି । ଚୀନ ସୀମରେ ୨୦ ଯବାନ ସହିଦ ପ୍ରସଙ୍ଗରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ପ୍ରତିକ୍ରିୟା ଟ୍ୱିଟ ଯୋଗେ ରଖିଛନ୍ତି । ଯବାନଙ୍କ ପ୍ରାଣହାନୀ ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ ଘଟଣା ଅଟେ । ଯବାନମାନେ ନିଜର ପ୍ରାଣବଳି ଦେଇ ଅସୀମ ସାହସ ପ୍ରଦର୍ଶନ କରିଛନ୍ତି । ଦେଶ କେବେ ବି ସେମାନଙ୍କ ସାହସ ଓ ପ୍ରାଣବଳିକୁ ଭୁଲି ପାରିବନି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିିଂ କହିଛନ୍ତି । ଏଥିସହ ସେ ସହିଦଙ୍କ ଶୋକାପ୍ଲୁତ ପରିବାରକୁ ସମବେଦନା ଜଣାଇଛନ୍ତି । ଏପରି କଠିନ ସମୟରେ ଦେଶ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହେବାକୁ ପ୍ରସ୍ତୁତ ରହିଛି । ଭାରତର ବୀର ଜବାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍ ସେନା ଗତ ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ । ତେବେ ଅଚାନକ୍ ଚୀନ ସୈନିକମାନେ ଆକ୍ରମଣ ହୋଇ ଉଠିଥିଲେ । ସେମାନେ ପ୍ରଥମେ ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘଂର୍ଷ ହୋଇଥିଲା । ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ୍ ହୋଇଯାଇଥିଲେ । ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ଏବଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା । ସହିଦ କର୍ଣ୍ଣେଲ ହେଉଛନ୍ତି ୧୬ ବିହାର ରେଜିମେଣ୍ଟ୍ର କମାଣ୍ଡିଂ ଅଫିସର୍ ବି. ସନ୍ତୋଷ ବାବୁ । ମଙ୍ଗଳବାର ସକାଳେ ଭାରତ ପକ୍ଷରୁ ଏହି ସଂଘର୍ଷ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ୩ ଜଶ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ସନ୍ଧ୍ୟାରେ କୁହାଯାଇଛି ଯେ, ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଆଉ ୧୭ଜଣ ଯବାନ ପ୍ରାଣ ହରାଇଛନ୍ତି । ଉକ୍ତ ୨୦ ଜଣ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଅଞ୍ଚଳର ୨୮ ବର୍ଷୀୟ ଜବାନ ଚନ୍ଦ୍ରକାନ୍ତ ପ୍ରଧାନ । ସେ ୬ ବର୍ଷ ତଳେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।ବିହାର -୧୬ ରେଜିମେଣ୍ଟରେ ଯୋଗ ଦେଇଥିଲେ ଚନ୍ଦ୍ରକାନ୍ତ । କିନ୍ତୁ ୨ ବର୍ଷ ପୂର୍ବେ ଲଦାଖର ଡ଼୍ୟୁଟି କରିଥିଲେ ଓ ୨ ଦିନ ତଳେ ସହିଦ ହେଲେ । ଅନ୍ୟ ଜଣେ ସହିଦ ଯବାନ ହେଲେ ନନ୍ଦୁରାମ ସୋରେନ୍ । ସେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜାତଳା ବ୍ଲକ ଚମ୍ପାରଦା ଗାଁରେ ବୋଲି ସୂଚନା ମିଳିଛି । ନନ୍ଦୁରାମ ମଧ୍ୟ ବିହାର ୧୬ – ରେଜିମେଣ୍ଟରେ ଯୋଗ ଦେଇଥିଲେ । ମୃତାହତଙ୍କୁ ଆଣିବା ଲାଗି ଭାରତୀୟ ସାମରିକ ହେଲିକପ୍ଟର ମଧ୍ୟ ପଇଁତରା ମାରୁ ଥିବା ଦେଖିବାକୁ ମିଳିଛି ।