କେନ୍ଦ୍ରାପଡା: ନାବାଳିକା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବଡ଼ବାପାଙ୍କୁ ସ୍ଥାନୀୟ ଅଦାଲତ ଶୁକ୍ରବାର ୨୦ବର୍ଷ ଜେଲ୍ ଓ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ତା’ର ବଡ଼ବାପା ପ୍ରହ୍ଲାଦ ବେହେରା ଦୁଷ୍କର୍ମ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ଗତ ମେ’ ୪ ତାରିଖରେ ନାବାଳିକାକୁ ତା’ର ବଡ଼ବାପା ପ୍ରହ୍ଲାଦ ଡାକି ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ଏ ନେଇ ନାବାଳିକାର ମା’ ୧୯ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସଦର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଶୁକ୍ରବାର ଏହି ମାମଲାର ବିଚାର କରି ବିଚାରପତି ପ୍ରଣତୀ ପଟ୍ଟନାୟକ ଆସାମୀଙ୍କୁ ୨୦ ବର୍ଷ ଜେଲ୍ ଓ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଉକ୍ତ ମାମଲାକୁ ସରକାରଙ୍କ ତରଫରୁ ଆଇନଜୀବୀ ମନୋଜ ସାହୁ ପରିଚାଳନା କରିଥିଲେ ।