23.1 C
Bhubaneswar
Friday, January 10, 2025
Homeଅପରାଧବନରକ୍ଷୀ ମୃତ୍ୟୁ ଘଟଣାରେ ୨ ଶିକାରୀ ଗିରଫ

ବନରକ୍ଷୀ ମୃତ୍ୟୁ ଘଟଣାରେ ୨ ଶିକାରୀ ଗିରଫ

ବାରିପଦା : ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟାରେ ବନବିଭାଗ ପକ୍ଷରୁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ସମୟରେ ଏଭଳି ଘଟଣା ଘଟିଛି । ମୃତକ ଜଣକ ହେଲେ ବାରିପଦା ଭୁଗୁଡାକଟା ଅଞ୍ଚଳର ବିମଳ ଜେନା । ଘଟଣାଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାଉଁଶଖାଳ ବିଟ୍ ଅଞ୍ଚଳରେ ଘଟିଛି ।

ଏହି ଘଟଣାରେ ୧୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ଏହି ଘଟଣାରେ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ସୁଶୀଲ କୁମାର ପୋପଲି ପ୍ରତିକ୍ରିୟା ରଖିଛନ୍ତି ଯେ, ଜଙ୍ଗଲରେ ବନବିଭାଗ ଓ ପୁଲିସର ୫ଟି ଟିମ୍ ଗଠନ କରି ଗତକାଲି ରାତିରୁ ମିଳିତ କୁମ୍ବିଂ ଅପରେସନ ଚାଲିଛି । ଡିଜି ଓ ଅତିରିକ୍ତ ଡିଜିଙ୍କ ସହ ମୁଁ ନିଜେ ସୋମବାର କଥା ହୋଇଛି ।

ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପାଟ୍ରୋଲିଂ କରିବା ବେଳେ କୁଟୁରାକୁ ଶିକାର କରି ଶିକାରୀ ନେଇଯାଉଥିବା ଦେଖିବାକୁ ପାଇଥିଲେ । ୫ରୁ ୬ ଜଣ ଶିକାରୀ ଆସିଥିଲେ । ତାଙ୍କ ପଛ ପଟେ ୧୦ ଜଣ ଥିବା ବନ କର୍ମଚାରୀମାନେ ଦେଖିଛନ୍ତି । ସେମାନେ ବନ କର୍ମଚାରୀଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ । ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ସୋମବାର ସନ୍ଧ୍ୟା ୬ଟା ସମୟରେ ଶିମିଳିପାଳ ଉତ୍ତର ଡିଭିଜନର ଶେଷସୀମା ଓ ଦକ୍ଷିଣ ଡିଭିଜନର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍ ହାଉସ୍ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ଖବର ପାଇଥିଲା ବନବିଭାଗର ପାଟ୍ରୋଲିଂ ସ୍କ୍ୱାଡ୍ । ସେମାନଙ୍କୁ ଧରିବାକୁ ଯିବା ସମୟରେ ଅନ୍ଧାରର ସୁଯୋଗ ନେଇ ଗଛ ଆଢ଼ୁଆଳରୁ ବନକର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଶିକାରୀ ।

ପାଲଟା ଆକ୍ରମଣରେ ବନକର୍ମଚାରୀ ମଧ୍ୟ ଗୁଳି ଚଳାଇଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଟଳି ପଡ଼ିଥିଲେ ବନରକ୍ଷୀ ବିମଳ । ସାଥୀ କର୍ମଚାରୀ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖବରଦେବା ପରେ ଏକ ସ୍ୱତନ୍ତ୍ର ଟିମ୍ ପୁଲିସ ଫୋର୍ସକୁ ନେଇ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରିଥିଲେ । ବିମଳଙ୍କ ମୃତଦେହକୁ ସେଠାରୁ ଉଦ୍ଧାର କରାଯାଇ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜକୁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking