27.1 C
Bhubaneswar
Sunday, July 27, 2025
Homeଦେଶ ବିଦେଶକୋଟାରେ ଆଉ୨ ଛାତ୍ରଙ୍କ ଆତ୍ମହତ୍ୟା; ଏକମାସ ପରୀକ୍ଷା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋଟାରେ ଆଉ୨ ଛାତ୍ରଙ୍କ ଆତ୍ମହତ୍ୟା; ଏକମାସ ପରୀକ୍ଷା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋଟା : ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷାର କୋଚିଂ ହବ୍ କୁହାଯାଉଥିବା ରାଜସ୍ଥାନର କୋଟା ସହର ବର୍ତ୍ତମାନ ଆତ୍ମହତ୍ୟା ସ୍ଥଳୀ ପାଲଟିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିବର୍ଷ ୨ ଲକ୍ଷ ଛାତ୍ରଛାତ୍ରୀ ଏଠାକୁ କୋଚିଂ ଉଦ୍ଦେଶ୍ୟରେ ଆସୁଥିବାବେଳେ ବର୍ତ୍ତମାନ ଅଧିକାଂଶ ଛାତ୍ରଛାତ୍ରୀ ମାନସିକ ଅବସାଦର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି । ରବିବାର କୋଟାରେ କୋଚିଂ ନେଉଥିବା ଆଉ ୨ ଜଣ ଆଶାୟୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିବା ମହାରାଷ୍ଟ୍ରର ଆବିଷ୍କାର ଶୁଭାଙ୍ଗୀ ଓ ବିହାରର ଆଦର୍ଶ ନାମକ ଏହି ଦୁଇ ଛାତ୍ର ସଦ୍ୟ ଆତ୍ମହତ୍ୟା କରିଛନ୍ତି । ଆବିଷ୍କାର ତାଙ୍କର ଜେଜେବାପା ଓ ଜେଜେମାଙ୍କ ସହ କୋଟାରେ ଭଡାଘରେ ରହି କୋଚିଂ ନେଉଥିବାବେଳେ ରବିବାର କୋଚିଂ ସେଣ୍ଟରର ୬ଷ୍ଠ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ଆଦର୍ଶ ତାଙ୍କର ଭଡାଘର ସିଲିଂ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ରବିବାର କୋଚିଂ ସେଣ୍ଟର ପକ୍ଷରୁ ଏକ ପରୀକ୍ଷା କରାଯାଇଥିଲା । ଆବିଷ୍କାର ନିର୍ଦ୍ଧାରିତ ସମୟର ୫ ମିନିଟ ପୂର୍ବରୁ ପରୀକ୍ଷା ହଲରୁ ଚାଲିଆସି ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ସହପାଠୀ କହିଛନ୍ତି । ଅପରପକ୍ଷରେ ଆଦର୍ଶଙ୍କ କ୍ଷେତ୍ରରେ ମଧ୍ୟ ସମାନ କାରଣ ରହିଛି । ଏମାନଙ୍କୁ ମିଶାଇ ଚଳିତବର୍ଷ କୋଟାରେ କୋଚିଂ ନେଉଥିବା ୨୩ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଏହି ଘଟଣା ପରେ କୋଟା ଜିଲ୍ଲାପାଳ ସମସ୍ତ କୋଚିଂ ସେଣ୍ଟରରେ ପରୀକ୍ଷାକୁ ଏକମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାନସିକ ଅବସାଦ ଓ ପରୀକ୍ଷାରେ କମ୍ ନମ୍ବର ରଖୁଥିବାରୁ ଏହି ଛାତ୍ରଛାତ୍ରୀ ହତାଶ ହୋଇପଡୁଥିବା କୁହାଯାଇଛି । ପୁନଶ୍ଚ ପିତାମାତା ସେମାନଙ୍କ ପଛରେ ବିପୁଳ ଅର୍ଥ ଖର୍ଚ୍ଚ କରୁୁଥିବାବେଳେ ସେମାନେ (ଛାତ୍ରଛାତ୍ରୀ) ପିତାମାତାଙ୍କ ଅଶା ପୂରଣ କରିପାରିବେ କି ନାହିଁ, ସେଥିନେଇ ଆତଙ୍କିତ ହୋଇପଡୁଥିବା ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି । ଏହି ପରିପ୍ରେକ୍ଷୀରେ କୋଟାକୁ କୋଚିଂ ଉଦ୍ଦେଶ୍ୟରେ ଆସୁଥିବା ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ବୟସ ଧାର୍ଯ୍ୟ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ କୋଟାର ପ୍ରତ୍ୟେକ ହଷ୍ଟେଲ ରୁମ୍‌ରେ ସ୍ପ୍ରିଙ୍ଗ୍‌ଯୁକ୍ତ ସିଲିଂ ପଙ୍ଖା ଖଞ୍ଜାଯାଇଛି ।

ଫଳରେ ଆତ୍ମହତ୍ୟା ଉଦ୍ୟମ କଲେ ଏହି ପଙ୍ଖା ଆପେ ତଳକୁ ଖସିଆସିବ । ଏଥିସହିତ ଉକ୍ତ ପଙ୍ଖାରେ ଲାଗିଥିବା ସାଇରନ୍ ମଧ୍ୟ ବାଜି ଉଠିବ । ଏହାବ୍ୟତୀତ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ ଅନ୍ୟ ସବୁ ମହଲାର ବାଲକୋନି ଓ ଝରକାରେ ଲୁହା ତାରଜାଲି ଖଞ୍ଜାଯାଇଛି ଯାହାଫଳରେ ଛାତ୍ରମାନେ ତଳକୁ ଡେଇଁ ଆତ୍ମହତ୍ୟା କରିପାରିବେନି । ପ୍ରତିବର୍ଷ ୨ ଲକ୍ଷ ଛାତ୍ରଛାତ୍ରୀ କୋଚିଂ ନେବାକୁ କୋଟା ଆସିଥାନ୍ତି । ତେବେ ବିଭିନ୍ନ କାରଣରୁ କେତେକ ଛାତ୍ରଛାତ୍ରୀ ଆତ୍ମହତ୍ୟା ମଧ୍ୟ କରିଥାନ୍ତି । ୨୦୨୨ରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ସଂଖ୍ୟା ୧୫ ଥିବାବେଳେ ଚଳିତବର୍ଷ ଅଗଷ୍ଟ ୨୮ ସୁଦ୍ଧା ୨୩ ଛାତ୍ର ଏହି ଚରମ ପଦକ୍ଷେପ ନେଇସାରିଛନ୍ତି । ୧୫୦ କିଲୋ ଓଜନ ସମ୍ଭାଳିବା ଭଳି ତାରଜାଲି ଖଞ୍ଜାଯାଇଥିବାବେଳେ ଏଗୁଡିକୁ କାଟିବା କିମ୍ବା ତାଡିବା ଏତେ ସହଜ ନୁହେଁ ବୋଲି ବିଶାଳାକ୍ଷୀ ଗାର୍ଲସ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking