ଶ୍ରୀନଗର: ଜମ୍ମୁକଶ୍ମୀରର ଶୋପିଆନରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିବାର କିଛି ଦିନ ପରେ ଆଜି ଉତ୍ତରପ୍ରଦେଶର କନୌଜର ଦୁଇ ଜଣ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଇ ଜଣ ଶ୍ରମିକ ହରମନ ଅଞ୍ଚଳରେ ରହୁଥିଲେ ଏବଂ ଆକ୍ରମଣ ସମୟରେ ଶୋଇଥିଲେ।
କଶ୍ମୀର ଜୋନ୍ ପୁଲିସ ମଙ୍ଗଳବାର ଏକ ଟୁଇଟ୍ ଜରିଆରେ କହିଛି ଯେ ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ ଯେଉଁଥିରେ ଉତ୍ତରପ୍ରଦେଶର ଦୁଇ ଜଣ ଶ୍ରମିକ ମନୀଷ କୁମାର ଏବଂ ରାମ ସାଗର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଭୟ ଉତ୍ତରପ୍ରଦେଶର କନୌଜର ହୋଇଥିବାବେଳେ ଜମ୍ମୁକଶ୍ମୀରରେ ଶ୍ରମିକ ଭାବେ କାମ କରୁଥିଲେ। ପୁଲିସ କହିଛି ଯେ ଗ୍ରେନେଡ ଫିଙ୍ଗିଥିବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।