ଚେନ୍ନାଇ: ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁରେ ୨ ରାଜନୈତିକ ପୃଷ୍ଠଭୂମୀ ଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି । ଶନିବାର ବିଳମ୍ବିତ ରାତିରେ ପଦ୍ମନାଭନ୍ ନାମକ ଜଣେ ଏଆଇଏଡିଏମ୍କେ କର୍ମୀଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ଜଣେ ବିଜେପି କର୍ମୀଙ୍କୁ ନିର୍ମର୍ମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପଦ୍ମନାଭନ୍ଙ୍କୁ ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ହତ୍ୟା କରାଯାଇଥିବା ପୁଲିସ୍ ଦର୍ଶାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସେହିପରି ଗତକାଲି ରାତିରେ ତାମିଲନାଡୁର ଶିବଗଙ୍ଗାଇର ବିଜେପି ଜିଲ୍ଲା ସମ୍ପାଦକ ସେଲଭାକୁମାରଙ୍କୁ ହତ୍ୟା କରାଯାଇଛି । ରବିବାର ଅପରାହ୍ନ ସୁଦ୍ଧା ପୁଲିସ୍ ଷ୍ଟେସନ୍ରେ ତାଙ୍କ ନିଖୋଜ ସମ୍ପର୍କରେ ଏଫ୍ଆଇଆର ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି । ଅନ୍ୟପକ୍ଷେ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଲଭାକୁମାରଙ୍କ ମୃତଦେହକୁ ରାସ୍ତା ପାଶ୍ୱର୍ରେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ପରିବାର ଲୋକେ ଦେଇଥିବା ବୟାନ୍ରୁ ସେଲଭାକୁମାର କାମ ସାରି ନିଜ ଇଟାଭାଟିରୁ ବାଇକ୍ ଯୋଗେ ଘରକୁ ଫେରିବା ସମୟରେ ରାସ୍ତା ମଝିରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପୂର୍ବକ ହତ୍ୟା କରାଯାଇଥିବା ପୁଲିସ୍ ଅନୁମାନ କରୁଛି ।
ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ମୁଖ୍ୟ କେ ଆନ୍ନାମଲାଇ ଶାସକ ଡିଏମ୍କେ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ତାଙ୍କ କହିବାନୁସାରେ ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟରେ ଅସାମାଜିକ ଲୋକମାନେ ପୁଲିସ କି ସରକାରଙ୍କୁ ଭୟ କରୁନାହାନ୍ତି । ସରକାର ରାଜନୈତିକ ଡ୍ରାମା କରୁଥିବା କେ ଆନ୍ନାମଲାଇ କହିଛନ୍ତି । ସୂଚନାଯୋଗ୍ୟ, କେବଳ ଚଳିତ ମାସରେ ତାମିଲନାଡୁରେ ଏପ୍ରକାର ୩ଟି ହତ୍ୟାକାଣ୍ଡ ଘଟିଲାଣି । ଏସମସ୍ତ ହତ୍ୟାକାଣ୍ଡରେ ରାଜନୈତିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ହିଁ ହତ୍ୟାକାଣ୍ଡର ଶିକାର ହେବାକୁ ପଡୁଥିବାର ଦେଖିବାକୁ ମିଳୁଛି । ଜୁଲାଇ ୫ରେ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରଙ୍ଗଙ୍କୁ ସମାନ ଭାବେ ହତ୍ୟା କରାଯାଇଥିଲା । ଏକ ଗ୍ୟାଙ୍ଗ ତାଙ୍କୁ ପିଛା କରି ଉଠାଇ ନେବା ପରେ ହତ୍ୟା କରିଥିଲେ । ସେହିପରି ଶନିବାର ଜଣେ ଏଆଇଏଡିଏମ୍କେ କର୍ମୀ ଏବଂ ଏବେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି । ରାଜ୍ୟରେ ଏପ୍ରକାର ହତ୍ୟାକାଣ୍ଡ ବୃଦ୍ଧି ପାଇବା ନିଶ୍ଚିତ ରୂପେ ଚିନ୍ତାଜନକ ବୋଲି ଶିବଗଙ୍ଗାଇ ସାଂସଦ କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି ।