22.1 C
Bhubaneswar
Saturday, January 11, 2025
Homeଓଡିଶା+୨ ପରୀକ୍ଷା ପ୍ରସଙ୍ଗ: ୧୫ତାରିଖ ସୁଦ୍ଧା ପ୍ରକାଶପାଇବ ବିଜ୍ଞପ୍ତି

+୨ ପରୀକ୍ଷା ପ୍ରସଙ୍ଗ: ୧୫ତାରିଖ ସୁଦ୍ଧା ପ୍ରକାଶପାଇବ ବିଜ୍ଞପ୍ତି

ଖୁବ୍‌ଶୀଘ୍ର ସିଏଚ୍‌ଏସ୍‌ଇ-ବିଏସ୍‌ଇ ଆଲୋଚନା
ଏପ୍ରିଲରେ ପରୀକ୍ଷା, ବଢ଼ିବ ଟ୍ୟାଗ୍ ସେଣ୍ଟର
ଭୁବନେଶ୍ୱର:  ଚଳିତବର୍ଷ +୨ ପରୀକ୍ଷା ହେବା ସ୍ପଷ୍ଟ ହୋଇଯାଇଛି । ବିକଳ୍ପ ବ୍ୟବସ୍ଥା ନୁହେଁ, ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ । ତେବେ ପରୀକ୍ଷା ସମ୍ପର୍କିତ ବିଜ୍ଞପ୍ତି ଆସନ୍ତା ୧୫ତାରିଖ ମଧ୍ୟରେ ପ୍ରକାଶ ପାଇବ । ସେଥିପାଇଁ +୨ ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଚଳିତବର୍ଷ ପରୀକ୍ଷା ଲାଗି ରାଜ୍ୟରେ ବିଭିନ୍ନ ପକ୍ଷ(ଷ୍ଟେକ୍ ହୋଲ୍ଡର)ଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ପ୍ରକ୍ରିୟା ଶେଷ ହୋଇଥିବା ବେଳେ +୨ ପରିଷଦ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଚୂଡାନ୍ତ ବୈଠକ ଆସନ୍ତା ୨ଦିନ ମଧ୍ୟରେ ବସିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡ଼ିଛି । ସେହିପରି ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା ଏବଂ ଆଲୋଚନାରେ ନିଷ୍କର୍ସର ଅଡିଓ କ୍ଲିପ୍ +୨ ପରିଷଦ ପକ୍ଷରୁ ସରକାରଙ୍କୁ ଖୁବଶୀଘ୍ର ପ୍ରଦାନ କରାଯିବ । ଅନେକ ପକ୍ଷଙ୍କ ସହ ପରୀକ୍ଷା ସମ୍ପର୍କିତ ଆଲୋଚନା ଶେଷ ହୋଇଥିବା ବେଳେ ଷ୍ଟେକ୍ ହୋଲ୍ଡର ଚଳିତବର୍ଷ  ପରୀକ୍ଷା ଅଫ୍‌ଲାଇନ୍ ମାଧ୍ୟମରେ କରିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି । ତେବେ ଚଳିତବର୍ଷ ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହା ଦୂର ହୋଇଛି । ମାର୍ଚ୍ଚରେ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ଆପାତତଃ ସ୍ପଷ୍ଟ ହୋଇଥିବା ବେଳେ ଏପ୍ରିଲରେ ଥିଓରୀ ପରୀକ୍ଷା ଶେଷ ହେବ ।  ଚଳିତବର୍ଷ ୩.୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିବାରୁ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପିଲାଙ୍କ ପାସ୍ ହାର ଅଧିକ ରହିଥିଲା । ଫଳରେ ଚଳିତବର୍ଷ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହିଛି ।
ରାଜ୍ୟରେ ୨୦୬୫ଟି ଜୁନିୟର କଲେଜର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜର ଛାତ୍ରଛାତ୍ରୀ ନିଜ କଲେଜରେ ପରୀକ୍ଷା ଦେବେ । ମାତ୍ର ରେସିଡେନ୍ସସିଆଲ କଲେଜକୁ ଟ୍ୟାଗ୍ କରିବାକୁ ନିଷ୍ପତ୍ତି ହୋଇଛି । କରୋନା ଲାଗି ଏଥର ପରୀକ୍ଷାକେନ୍ଦ୍ରର ସଂଖ୍ୟାବୃଦ୍ଧି କରିବା ସହ ବିଭିନ୍ନ ଶ୍ରେଣୀରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ୨୫ରୁ ୩୦ଜଣ ପରୀକ୍ଷାର୍ଥୀ ବସିଲା ଭଳି ବ୍ୟବସ୍ଥା କରାଯିବ । ତେଣୁ ଯେଉଁ କଲେଜଗୁଡିକରେ ଭିତ୍ତିଭୂମିର ଅଭାବ ରହିଛି, ସମ୍ପୃକ୍ତ କଲେଜର ନିକଟବତ୍ତି କଲେଜକୁ ଟ୍ୟାଗ୍‌ସେଣ୍ଟର କରାଯିବ । ଯେଉଁ ଘରୋଇ ତଥା ରେସିଡେନ୍ସିଆଲ କଲେଜଗୁଡିକରେ ଅଧିକ ଶ୍ରେଣୀଗୃହ ରହିଛି ସେହି କଲେଜରେ ଆବଶ୍ୟକ ସ୍ଥଳେ ୨/୩ଟି କଲେଜ ଲାଗି ପରୀକ୍ଷାକେନ୍ଦ୍ର କରିବାକୁ +୨ ପରିଷଦ ଲକ୍ଷ୍ୟ ରଖିଛି । ଚଳିତବର୍ଷ ପରୀକ୍ଷା ହେବ କି ନାହିଁ ତାକୁ ନେଇ ପିଲାଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା ତାହା ଦୂର ହୋଇଛି । ଏଥର ବିକଳ୍ପ ବ୍ୟବସ୍ଥା ନୁହେଁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ ବୋଲି +୨ ପରିଷଦ ପକ୍ଷରୁ ସ୍ପଷ୍ଟ ହୋଇଛି । ମାତ୍ର ପରୀକ୍ଷା ନକରି ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରିବାକୁ କିଛି ଘରୋଇ କଲେଜ ଚାପ ପକାଉଥିବା ବେଳେ ପିଲାଙ୍କୁ ମେଳି କରି ବିଶୃଙ୍ଖଳା ସୃଷ୍ଟିକରିଥିବା ଅଭିଯୋଗ +୨ ପରିଷଦ ପାଖରେ ପହଁଞ୍ôଚଛି । ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଅଫ୍‌ଲାଇନ୍ ପରୀକ୍ଷା କରିବାରେ କୌଣସି ସମସ୍ୟା ନାହିଁ । ତେଣୁ ପରୀକ୍ଷା ଲାଗି ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ +୨ ପରିଷଦ ଏବଂ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking