କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରୁ ୨ ନାବାଳିକା ଛାତ୍ରୀଙ୍କୁ ସମ୍ବଲପୁର ସଦରଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, କେନ୍ଦ୍ରାପଡା ଟାଉନ ଥାନା ବଡବାରଙ୍ଗ ଗ୍ରାମର ଶଙ୍କର ନାୟକଙ୍କ ଘରେ ସମ୍ବଲପୁର ସଦର ଥାନା ସୁନ୍ଦରାପଙ୍ଗ ଅଞ୍ଚଳର ୨ ନାବାଳିକା ଭଡ଼ାରେ ରହି ଇଚ୍ଛାପୁରସ୍ଥିତ ପେଟ୍ରୋଲ ଟାଙ୍କିରେ କାମ କରୁଥିଲେ । ମେ’ ୩୦ ତାରିଖରେ ସମ୍ବଲପୁରର ୨ ନାବାଳିକା ପାର୍କ ବୁଲିଯିବା କହି ବଡ଼ବାରଙ୍ଗ ଗ୍ରାମର ୨ ଜଣ କଲେଜ ପଢୁଆ ଛାତ୍ରୀଙ୍କୁ ଏକ କାର୍ ଯୋଗେ ଭୁବନେଶ୍ୱର ନେଇ ଯାଇଥିଲେ ।
ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଏହି ଦୁଇ ଜଣ ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଟ୍ରେନ୍ ଯୋଗେ ସମ୍ବଲପୁର ନେଇ ଯାଇଥିଲେ । ପରିବାର ଲୋକେ ଜାଣିବା ପରେ ସମ୍ବଲପୁରର ୨ ନାବାଳିକାଙ୍କ ସମ୍ପର୍କରେ ଘର ମାଲିକ ଶଙ୍କର ନାୟକଙ୍କୁ ପଚାରିବାରୁ ସେ ଏହାର ସଠିକ୍ ଉତ୍ତର ଦେଇପାରିନଥିଲେ । ଶେଷରେ ବାଧ୍ୟ ହୋଇ ଘଟଣା ଟାଉନ ଥାନାକୁ ଆସିଥିଲା । ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା ।
ଏକ ଟିମ୍ ସମ୍ବଲପୁର ଯାଇ ସଦର ଥାନା ଅଞ୍ଚଳର ସୁନ୍ଦରପଙ୍ଗ ଗ୍ରାମରୁ କେନ୍ଦ୍ରାପଡା ଅଞ୍ଚଳର ୨ ଜଣ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ନେଇଥିବା ସମ୍ବଲପୁର ସୁନ୍ଦରପଙ୍ଗ ଗ୍ରାମର ଜଣେ ନାବାଳିକାକୁ ଗିରଫ କରିଥିଲା । ଅନ୍ୟ ଜଣେ ଏବଂ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଅପହୃତାଙ୍କୁ ସୋମବାର କେନ୍ଦ୍ରାପଡା ପୋସ୍କୋ ଅଦାଲତରେ ହାଜର କରାଯାଇ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।