ଦୋହା: ଅଲ୍-ଖୋର୍ଠାରେ ଫିଫା ବିଶ୍ୱକପ୍ର ୨୨ତମ ସଂସ୍କରଣ ଆରମ୍ଭ ହୋଇଛି । ଗତ ୪ ବର୍ଷ ମଧ୍ୟରେ ଆୟୋଜକ ଫିଫା ରେକର୍ଡ ୭.୫ ବିଲିଅନ୍ ଡଲାର୍ ହାସଲ କରିବା ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ଚଳିତ ବିଶ୍ୱକପ୍ର ମ୍ୟାଚ୍ଗୁଡ଼ିକ ସକାଶେ ଉଦ୍ଦିଷ୍ଟ ଟିକେଟ୍ରୁ ୨.୯୫ ନିୟୁତ ଡଲାର୍ ହାସଲ କରିଛି । ରବିବାର ସନ୍ଧ୍ୟା ସୁଦ୍ଧା ଏହି ପରିମାଣର ଟିକେଟ୍ ବିକ୍ରି ହୋଇଥିବା ଫିଫା ପକ୍ଷରୁ କୁହାଯାଇଛି । ପ୍ରଥମ ଆରବ ଦେଶ ଭାବେ ଫିଫା ବିଶ୍ୱକପ୍ ଆୟୋଜନ କରୁଥିବା କତାର ନାନାଦି ନକାରାତ୍ମକ ଖବର ପରିପ୍ରେକ୍ଷୀରେ ବେଶ୍ ଦୁର୍ନାମ ମୁଣ୍ଡାଇଥିଲେ ହେଁ ମ୍ୟାଚ୍ଗୁଡ଼ିକ ପ୍ରତି ଦର୍ଶକଙ୍କ ଆସକ୍ତି ବେଶ୍ ଉତ୍ସାହଜନକ ରହିଛି ।
ଟିକେଟ୍ ହାସଲ ପାଇଁ ଦର୍ଶକମାନେ ଫିପା ଟିକେଟ୍ ସେଣ୍ଟର୍ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଥିବା ବେଳେ ଅନଲାଇନ୍ରେ ମଧ୍ୟ ଟିକେଟ୍ ପାଇବା ପାଇଁ ଯଥେଷ୍ଟ ଆଗ୍ରହ ପରିଲକ୍ଷିତ ହୋଇଆସିଛି । ଏଥିସହ ଫିଫା ବିଶ୍ୱକପ୍ର ରୁଷିଆ ସଂସ୍କରଣରେ ଟିକେଟ୍ ବାବଦରେ ଆୟୋଜକ ଫିଫା ୨.୪ ନିୟୁତ ଡଲାର୍ ହାସଲ କରିଥିବା ବେଳେ କତାର ଏହାକୁ ଅତିକ୍ରମ କରିଯାଇଛି । ପୂର୍ବରୁ ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋ ଚଳିତ ବର୍ଷ ଶେଷ ସୁଦ୍ଧା ଗତ ୪ ବର୍ଷର ରାଜସ୍ୱ ବାବଦରେ ସାଢ଼େ ୭ ବିଲିଅନ୍ ଡଲାର୍ ଆୟର ଲକ୍ଷ୍ୟ ରହିଥିବା ସ୍ପଷ୍ଟ କରିଥିଲେ । ରୁଷିଆ ବିଶ୍ୱକପ୍ ସଂସ୍କରଣ ତୁଳନାରେ ଏହା ୧ ବିଲିଅନ୍ ଅଧିକ ।