ତୁରା : ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଉପରେ ଆକ୍ରମଣ ମାମଲରେ ପୁଲିସ ୧୮ ଜଣ ଉପଦ୍ରବୀଙ୍କୁ ଗିରଫ କରିଛି । ଏହା ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚାର ଦୁଇଜଣ ପଦାଧିକାରୀ ବେଲିନା ଏମ୍ ମରାକ୍ ଏବଂ ଦିଲଚେ ଚ ମରାକ ମଧ୍ୟ ସାମିଲ । ତୁରାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ଉପରେ ସୋମବାର ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା । ଏହାରେ ପାଞ୍ଚଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଆକ୍ରମଣ ପାଇଁ ଦୁଇଜଣ ଟିଏମ୍ସି ନେତା ଉସୁକାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ସେମାନଙ୍କ ତଲାସ ଚଳାଇଛି ।
ସୋମବାର ଆକ୍ରମଣ ବେଳେ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗ୍ମା ଅଚିକ୍ କନ୍ସିସିୟସ୍ ହୋଲିଷ୍ଟିକାଲି ଇଣ୍ଟିଗ୍ରେଟେଡ୍ କ୍ରିମା (ଏସିଏଚ୍ଆଇକେ) ଏବଂ ଗାରୋ ହିଲ୍ସ ଷ୍ଟେଟ୍ ମୁଭ୍ମେଣ୍ଟ୍ କମିଟି (ଜିଏଚ୍ଏସ୍ଏମ୍ସି)ର ପ୍ରତିନିଧିଙ୍କ ସହିତ ଆଲୋଚନା କରୁଥିଲେ । ଏହି ସଂଗଠନ ତୁରାକୁ ଶୀତକାଳୀନ ରାଜଧାନୀ କରିବା ଦାବିରେ ଗତ ୧୪ ଦିନ ଧରି ଅନଶନ ଧର୍ମଘଟ ଚଳାଇଥିଲେ । ମୁଖ୍ୟମନ୍ତ୍ରୀ ଏହାର ପ୍ରତିନିଧିମାନଙ୍କୁ ସୋମବାର ଆଲୋଚନା ପାଇଁ ଡକାଇଥିଲେ । ଆଲୋଚନା ଶେଷ ହେବାକୁ ଥିବାବେଳେ ଅଚାନକ ଲୋକଙ୍କ ଭିଡ଼ ଜମା ହେବା ସହିତ ଟେକାପଥର ମାଡ଼ କରିଥିଲେ । ଭିଡ଼ ହଟାଇବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା । ଲୋକମାନେ ଅଫିସ୍ ଗେଟ୍ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏହି ଆକ୍ରମଣରେ ୨୧ଟି ବାହନ କ୍ଷତିଗ୍ରସ୍ତ ହୋଇଥିଲା ।