ଖୋର୍ଦ୍ଧା: ରାଜ୍ୟରେ ମାତିଛନ୍ତି ଗଞ୍ଜେଇ ବ୍ୟବସାୟୀ । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ ପରେ ବି ଭୟ କରୁ ନାହାନ୍ତି ମାଫିଆ । ବେସରକାରୀ ବସ୍ ର ସାହାରା ନେଇ ଆରମ୍ଭ କରିଛନ୍ତି ଗଞ୍ଜେଇ ଚୋରା ଚାଲଣ । ତେବେ ବେସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିଛି । ୧୬ କେ.ଜି ୬୦୦ ଗ୍ରାମ ର ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ବସ୍ଷ୍ଟାଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ, ଆଜି ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା ଏକ ବେସରକାରୀ ଯାତ୍ରୀବାହୀ ବସ୍ରୁ ଅବକାରୀ ବିଭାଗ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ।
ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଏକ ଟିମ ବାଘମାରୀ ବସ୍ ଷ୍ଟାଣ୍ଡରେ ଜଗି ରହିଥିଲେ । ଉକ୍ତ ବେସରକାରୀ ବସ୍ଟି ବସ ଷ୍ଟାଣ୍ଡରେ ଲାଗିବା କ୍ଷଣି ଅତର୍କିତ ଭାବେ ଅବକାରୀ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ କରି ବସରୁ ଏକ ବସ୍ତା ଭିତରୁ ଗଞ୍ଜେଇ ସବୁକୁ ଜବତ କରିଥିଲା ଅବକାରୀ ବିଭାଗ । ମୋଟ ୧୬ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।ଘଟଣାରେ ସଂପୁକ୍ତ ଅଭିଯୋଗରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ବାଲେଶ୍ଵର ଜିଲ୍ଲାର ଯଶୋଦା ବେହେରା ବୋଲି ସୂଚନା ଦେଇଛି ।