ନୂଆଦିଲ୍ଲୀ: ବର୍ତ୍ତମାନ ୧୩ଟି ବ୍ୟାଙ୍କ ଓ ଟେଲିକମ କମ୍ପାନୀ ବିରୋଧରେ ଆଗତ ଦୁର୍ନୀତି ମାମଲାର ତଦନ୍ତ ସିବିଆଇ କରୁଛି । ଏହି ବ୍ୟାଙ୍କଗୁଡିକ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ଅନ୍ତର୍ଭୁକ୍ତ । ଏହି ବ୍ୟାଙ୍କଗୁଡିକରେ ମୋଟ ୧୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି । ଏହାବ୍ୟତୀତ ଦେଶରେ ୨୭ ହଜାରରୁ ଊର୍ଦ୍ଧ୍ୱ ମୋବାଇଲ ଟାୱାର ସ୍ଥାପନ କରିଥିବା ଜିଟିଏଲ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ ମଧ୍ୟ ସାମିଲ ଥିବା ଜଣାପଡିଛି । ଜିଟିଏଲ କମ୍ପାନୀ ୨୦୦୪ରୁ ୨୦୧୧ ମଧ୍ୟରେ ୧୯ଟି ବ୍ୟାଙ୍କରୁ ୧୧,୨୬୩ କୋଟି ଟଙ୍କମା ଋଣ କରିଥିବାବେଳେ ଏପର୍ଯ୍ୟନ୍ତ ପରିଶୋଧ କରିନଥିବା କୁହାଯାଇଛି । ଋଣ ପରିଶୋଧ କରାଯାଇନଥିବାରୁ ଏହି ମାମଲା ସିଡିଆର (କର୍ପୋରେଟ ଡେବ୍ଟ ରିଷ୍ଟ୍ରକ୍ଚରିଙ୍ଗ୍)କୁ ହସ୍ତାନ୍ତର କରାଯାଇଛି ।
ତେବେ ସିଡିଆର ଟଙ୍କା ଆଦାୟ କରିବାରେ ବିଫଳ ହେବାପରେ ସଂପୃକ୍ତ ବ୍ୟାଙ୍କଗୁଡିକ ୨୦୧୬ରେ ଷ୍ଟ୍ରାଟେଜିକ୍ ଡେବ୍ଟ ରିଷ୍ଟ୍ରକ୍ଚରିଙ୍ଗ୍ ଉପାୟ ଅବଲମ୍ବନ କରି ୭୨୦୦ କୋଟି ଟଙ୍କାକୁ ଇକ୍ୟୁଟୀ ସେୟାରରେ ପରିବର୍ତ୍ତନ କରିଥିଲେ । ୨୦୧୮ରେ ହୋଇଥିବା ଅଡିଟ୍ ଅନୁଯାୟୀ ଜିଟିଏଲ ନେଇଥିବା ଋଣ ପରିମାଣର ଅଧିକାଂଶ ଅର୍ଥକୁ ବ୍ୟାଙ୍କ କର୍ତ୍ତୃପକ୍ଷ ରାଇଟ୍ ଅଫ୍ (ପରିଶୋଧ ଯୋଗ୍ୟ ନୁହଁ) କରିଦେଇଥିବା ଜଣାପଡିଛି । ୨୦୧୮ ସୁଦ୍ଧା ୧୯ଟି ବ୍ୟାଙ୍କ ଉପରେ ଜିଟିଏଲ କମ୍ପାନୀର ମୋଟ ୪୦୬୩ କୋଟି ଟଙ୍କାର ଋଣବୋଝ ରହିଥିଲା । ଏହାପରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା ।
୨୦୨୨ରେ ସିବିଆଇ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇଥିବାବେଳେ କମ୍ପାନୀ ଅଧିକାରୀଙ୍କ ସହ ସଲାସୁତୁରାରେ ବ୍ୟାଙ୍କ କର୍ତ୍ତୃପକ୍ଷ ୪୦୬୩ କୋଟି ଟଙ୍କାର ଇକ୍ୟୁଟୀ ସେୟାରକୁ ବେଆଇନଭାବେ ଯଥେଷ୍ଟ କମ ମୂଲ୍ୟରେ ମେସର୍ସ ଏଡେଲୱିସ୍ ଆସେଟ୍ ରିକନ୍ଷ୍ଟ୍ରକ୍ସନ କମ୍ପାନୀକୁ ବିକ୍ରି କରିଦେଇଥିବା ଜଣାପଡିଥିଲା । ଫଳରେ ସଂପୃକ୍ତ ବ୍ୟାଙ୍କଗୁଡିକୁ ପ୍ରବଳ କ୍ଷତି ସହିବାକୁ ପଡିଛି । ତେବେ ଇକ୍ୟୁଟୀ ସେୟାର ବିକ୍ରି ପ୍ରସ୍ତାବକୁ କାନାରା ବ୍ୟାଙ୍କ ଅଗ୍ରାହ୍ୟ କରିଦେଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ୧୩ଟି ବ୍ୟାଙ୍କ ଜିଟିଏଲର ୩୨୨୪ କୋଟିର ଇକ୍ୟୁଟୀ ସେୟାରକୁ ମାତ୍ର ୧୮୬୦ କୋଟିରେ ବିକ୍ରି କରିଥିବା ସିବିଆଇ ପକ୍ଷରୁ କୁହାଯାଇଛି । ଏହା ଜଣାପଡିବାପରେ ୧୩ଟି ବ୍ୟାଙ୍କ ଓ ଜିଟିଏଲ କମ୍ପାନୀର କେତେକ ଅଧିକାରୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସିବିଆଇ ଅଧିକାରୀମାନେ ଇତିମଧ୍ୟରେ ମୁମ୍ବାଇସ୍ଥିତ ଜିଟିଏଲ କାର୍ଯ୍ୟାଳୟ ଉପରେ ଚଢଉ କରିଛନ୍ତି ।