କଟକ: ଏସ୍ସିବି ମେଡିକାଲରୁ ୮ ଜଣ ଡିସ୍ଚର୍ଜ ହେବା ପରେ ଆଉ ୧୧୧ ଜଣ ଟ୍ରେନ୍ ଦୁର୍ଘଟଣାରେ ଆହତ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଆଇସିୟୁରେ ୨୦ ଜଣଙ୍କୁ ରଖି ଚିକିତ୍ସା କରାଯାଉଛି । ମଲ୍ଟିପୁଲ୍ ଇଞ୍ଜୁରି ଆଘାତପ୍ରାପ୍ତ ଗୁରୁତରମାନଙ୍କ ଆରୋଗ୍ୟ ନିମନ୍ତେ ଆହୁରି କିଛି ଦିନ ଲାଗିବ । ତେବେ ଆବଶ୍ୟକତା ଅନୁସାରେ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ଆହତଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟ ଶେଷ ହେବା ସୁଦ୍ଧା ମୋଟ ୨୦୧ ଜଣ ଆହତ ଏସ୍ସିବିରେ ଭର୍ତ୍ତି ହୋଇଥିଲେ ।
ଆଜି ଡିସ୍ଚାର୍ଯ୍ୟ ହୋଇଥିବା ଆହତମାନଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ, ପଶ୍ଚିମବଙ୍ଗର ୪ ଜଣ ଓ ବିହାରର ଜଣେ ଅଛନ୍ତି । ସେମାନେ ହେଲେ ବିହାର ମୁଜାଫରପୁର ଟାଉନ୍ର ବିନୋଦ ଦାସ(୨୭), ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଗଙ୍ଗାସାଗରର କାର୍ତ୍ତିକ ପାଇତ(୩୫) ଓ ଉସ୍ତିର ସୁନୱର ବୈଦ୍ୟ(୨୨), ପଶ୍ଚିମ ମେଦିନାପୁର ଚନ୍ଦ୍ରକୋଣାର ବିଶ୍ୱରୂପ ମାଇତି(୪୦), ପୂର୍ବ ମେଦିନାପୁର ପୂର୍ବସ୍ଥଳୀର ରୀଦୟା ଦାସ, ଓଡ଼ିଶାର ବାଲେଶ୍ୱର ରୂପକହଣ୍ଡର ମୁକ୍ତିକାନ୍ତ ମହାଳିକ(୪୫), ମୟୁରଭଞ୍ଜ ବୈଶିଙ୍ଗାର ଦୀପୁ ରାଉତ(୧୭) ଓ ରଥ ହାଁସଦା(୨୯) । ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା ।