ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ୟୁଜି ବା +୩ ପ୍ରଥମ ବର୍ଷ ଲାଗି ପୁଣି ନାମଲେଖା ପ୍ରକ୍ରିୟା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୩ଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହି ୪ର୍ଥ ପର୍ଯ୍ୟାୟ ନାମଲେଖା ଲାଗି ଆସନ୍ତା ୧୦ତାରିଖ ପୂର୍ବାହ୍ଣ ୧୧ଟାରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ସେହିପରି ଆବେଦନର ଶେଷ ତାରିଖ ୧୨ଡିସେମ୍ବର ପୂର୍ବାହ୍ଣ ୧୧ଟା ୪୫ ଧାର୍ଯ୍ୟ କରାଯାଇଛି । ୧୫ତାରିଖ ଦିନ ୨ଟାରେ ପୂର୍ବରୁ ଆବେଦନ କରିଥିବା ଆବେଦନକାରୀଙ୍କ ୱେଟିଂ ତାଲିକା ପ୍ରକାଶ ପାଇବ । ନୂଆ ଆବେଦନକାରୀଙ୍କ ରିପୋର୍ଟ ଏବଂ ୱେଟିଂରେ ଥିବା ପିଲାଙ୍କ ମାର୍କ ଅନୁସାରେ କଲେଜ ୱାରି ଖାଲିସିଟ୍ ଅନୁସାରେ ଚୂଡାନ୍ତ ମେଧା ତାଲିକା ଡିସେମ୍ବର ୧୭ତାରିଖ ଅପରାହ୍ଣ ୩ଟାରୁ ୫ଟା ମଧ୍ୟରେ ପ୍ରକାଶ ପାଇବ । ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ୧୯ ଏବଂ ୨୦ତାରିଖ ୨ଦିନ ଧରି ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାମଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।