ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ପ୍ରଥମ ଥର ପାଇଁ ଅମ୍ପାୟାର୍ମାନଙ୍କ ସକାଶେ “ଏ+’ କାଟାଗୋରିର ଶୁଭାରମ୍ଭ କରାଯାଇଛି । ଏହି କାଟାଗୋରିରେ ଦେଶର ଶୀର୍ଷ ୧୦ ଅମ୍ପାୟାର୍ଙ୍କୁ ସ୍ଥାନ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଆଇସିସି ଏଲିଟ୍ ପ୍ୟାନେଲ୍ ସଦସ୍ୟ ନୀତିନ୍ ମେନନ୍ ପ୍ରମୁଖ । ଏହାଛଡ଼ା ୪ ଜଣ ଅନ୍ତର୍ଜାତୀୟ ଅମ୍ପାୟାର୍ ଅନୀଲ ଚୌଧୁରୀ, ମଦନଗୋପାଳ ଜୟରମଣ, ବୀରେନ୍ଦର କୁମାର ଶର୍ମା ଓ କେଏନ୍ ଅନନ୍ତପଦ୍ମନାଭନ୍ ମଧ୍ୟ ରହିଛନ୍ତି । ଆହୁରି ଏହି ତାଲିକାରେ ସାମିଲ୍ ଥିବା ଅନ୍ୟ ୫ ଜଣ ଅମ୍ପାୟାର୍ ହେଲେ ରୋହନ୍ ପଣ୍ଡିତ, ନିଖିଲ ପଟବର୍ଦ୍ଧନ, ସଦାଶିବ ଆୟର୍, ଉଲ୍ଲାସ ଗାନ୍ଧେ ଓ ନବଦୀପ ସିଂହ ସିନ୍ଧୁ । ସେହିପରି ସି. ଶମସୁଦ୍ଦିନ୍ଙ୍କ ସମେତ ୨୦ ଜଣ ଅମ୍ପାୟାର୍ଙ୍କୁ “ଏ’ କାଟାଗୋରିରେ ରଖାଯାଇଥିବା ବେଳେ ବି’ରେ ୬୦ ଜଣ, ସି’ରେ ୪୬ ଜଣ ଓ ଡି’ରେ ୧୧ ଜଣ ଅମ୍ପାୟାର୍ ରହିଛନ୍ତି । ଏହି ଅମ୍ପାୟାର୍ମାନଙ୍କ ବୟସ ୬୦ରୁ ୬୫ ମଧ୍ୟରେ ରହିଛି ।
ଗୁରୁବାର ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନ୍ସିଲ୍ ବୈଠକରେ ଏହି ତାଲିକା ଉପସ୍ଥାପିତ ହୋଇଥିଲା । ଏହି ତାଲିକା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର୍ କେ. ହରିହରନ, ସୁଧୀର ଅସନାନି ଓ ଅମିଶ୍ ସାହେବା ଏବଂ ବିସିସିଆଇ ଅମ୍ପାୟାର୍ ସବ୍ କମିଟି ପକ୍ଷରୁ ପ୍ରସ୍ତୁତ ହୋଇଛି । ଏ+ କାଟାଗୋରିରେ ସ୍ଥାନ ପାଇଥିବା ଅମ୍ପାୟାର୍ମାନଙ୍କୁ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ଦୈନିକ ୪୦ ହଜାର ଟଙ୍କାର ପାରିଶ୍ରମିକ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ବି’ ଓ ସି’ କାଟାଗୋରିର ଅମ୍ପାୟାର୍ଙ୍କ ସକାଶେ ଏହା ୩୦ ହଜାର ଟଙ୍କା ରହିଛି । ଆପେକ୍ସ କାଉନ୍ସିଲ୍ ବୈଠକରେ ଏହି ତାଲିକାଟିରେ ଅମ୍ପାୟାର୍ମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବା ଦର୍ଶାଯିବା ସହ ଏଥିରେ ଏ+ କାଟାଗୋରି ନୂତନ ଭାବେ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି । ଗତ ୨୦୨୧-୨୨ ସିଜନ୍ରେ ଅମ୍ପାୟାର୍ମାନଙ୍କ ପ୍ରଦର୍ଶନ ଅନୁସାରେ ସେମାନଙ୍କୁ ବିଭିନ୍ନ ଗ୍ରୁପ୍ରେ ସ୍ଥାନ ଦିଆଯାଇଛି । ଟୁର୍ଣ୍ଣାମେଣ୍ଟ୍ର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଗ୍ରୁପ୍ର ଅମ୍ପାୟାରମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଉକ୍ତ ବୈଠକରେ କୁହାଯାଇଛି ।