26.1 C
Bhubaneswar
Wednesday, January 15, 2025
Homeଅପରାଧଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ୧୦ ଶିକାରୀ ଗିରଫ

ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ୧୦ ଶିକାରୀ ଗିରଫ

ମୟୁରଭଞ୍ଜ: ଜାତୀୟ ଉଦ୍ୟାନ ଶିମିଳିପାଳରେ ଜୀବଜନ୍ତୁ ଏବଂ ବନକର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁନେଇ ଚିନ୍ତାରେ ଜିଲ୍ଲାବାସୀ । ଅସୁରକ୍ଷିତ ଶିମିଳିପାଳ ସକ୍ରିୟ ଶିକାରୀ ।ତେବେ ଏ ଶିକାରୀ ମାନଙ୍କ ପଛରେ କିଏ ବୋଲି ସମସ୍ତଙ୍କ ମୁହଁରେ ପ୍ରଶ୍ନ । ନିକଟରେ ଶିକାରୀଙ୍କ ବନ୍ଧୁକ ଗୁଳିରେ କର୍ତ୍ତବ୍ୟରତ ବନକର୍ମଚାରୀ ଶହୀଦ ହେବା ଘଟଣା ମନରୁ ନ ଲିଭୁଣୁ ପୁଣି ଘଟିଲା ଆଉ ଏକ ସମାନ ଘଟଣା । ଯାହା ବନ୍ୟଜନ୍ତୁ ଶିକାରୀଙ୍କ ସାହସ ଏବଂ ସକ୍ରିୟତାକୁ ପ୍ରମାଣ କରିବା ସହିତ ବନବିଭାଗର ଅସହାୟତା ପଦାରେ ପକାଇଛି । ଅନ୍ୟପଟେ ଶିକାରୀ ମାନେ ବନ୍ଧୁକ ପାଖରେ ରଖି ବୁଲୁଥିବା ବେଳେ ବନକର୍ମଚାରୀ ହାତରେ ଲାଠି ଧରି ମୁକାବିଲା କରିବା ନିଶ୍ଚିତ ହାସ୍ୟାସ୍ପଦ ।

ସେହିପରି ଶିମିଳିପାଳ ସୁରକ୍ଷା ପାଇଁ ନିରୀହ ବନକର୍ମଚାରୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଥିବା ଅଭିଯୋଗ ହେଉଥିଲା ବେଳେ ସରକାର ଏହା ଉପରେ ଚିନ୍ତାନକରିବା ବାସ୍ତବରେ ଲଜ୍ୟାଜନକ ଘଟଣା । ତେବେ ପୂର୍ବ ଘଟଣା ଜିଲ୍ଲାବାସୀଙ୍କ ମନରୁ ନ ଲିଭୁଣୁ ଶିମିଳିପାଳ ଭିତରେ ସମୟରେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ପେଟ୍ରୋଲିଂ ଟିମ । ଆଉ ଶିକାରୀଙ୍କ ବନ୍ଧୁକ ଗୁଳିରେ ପୁଣି ଶହୀଦ ହୋଇଥିଲେ ଆଉ ଜଣେ ବନବିଭାଗ ଅଧିକାରୀ । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ନୂତନ ଭାବେ ଦାୟିତ୍ୱଭାର ଗ୍ରହଣ କରିଥିବା ମୟୂରଭଞ୍ଜ ଜିଲ୍ଲା ଏସ ପି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରି ସଂପୃକ୍ତ ୧୦ ଜଣ ଶିକାରୀଙ୍କୁ ଆଜି ଗିରଫ କରିଛି ପୋଲିସ ।ଗିରଫ ଅଭିଯୁକ୍ତମାନେ ସମସ୍ତେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୋଲି ସୂଚନା ମିଳିଛି । ଗତ ୧୬ ତାରିଖ ବିଳମ୍ବିତ ରାତିରେ ଶିମିଳିପାଳ ଅଭ୍ୟାରଣ୍ୟର ଉପର ବାର୍ହାକାମୁଡ଼ା ଅଞ୍ଚଳରେ ପେଟ୍ରୋଲିଂ ସମୟରେ ବନବିଭାଗ ଓ ଶିକାରୀ ମୁହାଁମୁଁହି ହୋଇଥିଲେ ।

ତେବେ କାର୍ତ୍ତବ୍ୟରତ ବନକର୍ମଚାରୀମାନେ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା ବେଳେ ଶିକାରୀଙ୍କ ଗୁଳିରେ ଶହୀଦ ହୋଇଥିଲେ ଫରେଷ୍ଟର ମାଥି ହାଁସଦା । ଘଟଣାର ୮ ଦିନ ପରେ ୧୦ଜଣଙ୍କୁ ଗିରଫ କରିଛି ମୟୁରଭଞ୍ଜ ପୋଲିସ । ଏ ପ୍ରସଙ୍ଗରେ ଆଜି ମୟୂରଭଞ୍ଜ ଏସ ପି ବାଟୁଲା ଗଙ୍ଗାଧର ଏକ ସମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି । ତା ସହିତ ୨ଟି ଦେଶୀ ବନ୍ଧୁକ , ୨ଟି ଧନୂତୀର ସହିତ ବାଉଁଶ ଲାଠି ଜବତ ହୋଇଥିବା ସୂଚନା ଦେଇଥିଲେ । ଗତ ସପ୍ତାହରେ ପୋଲିସ ଓ ବନବିଭାଗ ପକ୍ଷରୁ ୬ଟି ସ୍ୱତନ୍ତ୍ର ଅପରେସନ୍ ଟିମ୍ ଗଠନକରି ଶୀକାରୀମାନଙ୍କୁ ଧରିବା ଲାଗି କମ୍ବିଂ ଅପରେସନ୍ ଜାରି ରହିଥିଲା । ଏହି ମାମଲା ଛଡା ଆଉ ଏକ ଚଢଉରେ ପୋଲିସ କେବଳ ୨ଟି ଦେଶୀ ବନ୍ଧୁକ ଜବତ କରିଥିବାର କହିଛନ୍ତି ଏସ.ପି. ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ବନବିଭାଗ ସହିତ ପୋଲିସ ମିଳିତ ଭାବେ ଜଙ୍ଗଲର ସୁରକ୍ଷା କରିବ । ଏହି ଘଟଣାର ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଲେ ତୁରୀ କାଣ୍ଡେୟାନ (୩୦), ରାମାଇ କାଣ୍ଡେୟାନ(.୬୧), ମରା ହୋ (୪୩) ମାଣିକରାମ କାଣ୍ଡେୟାନ (୪୩), ଗୋପବନ୍ଧୁ କାଣ୍ଡେୟାନ (୩୨), ଦିଲ୍ଲିପ କାଣ୍ଡେୟାନ (୨୫) , ରାମ ସିଂ ଗୁନ୍ଦୁଆ (୩୪), ସିଙ୍ଗ ହୋ (୩୨), ଗମେୟା ହୋ ୨୫ ଏବଂ ଚମ୍ପାଇ ହୋ (୨୬)ଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଆଉ ଅଧିକ ଲୋକ ଏହା ସହିତ ସମ୍ପୃକ୍ତ ଅଛନ୍ତି କି ନାହିଁ ତାକୁନେଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ସୂଚନା ଦେଇ କହିଛନ୍ତି ମୟୁରଭଞ୍ଜ ଏସ.ପି ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ଗ୍ୱର୍ ଏବଂ ଗୌରବ ତଥା ବିଶ୍ୱ ଦରବାରରେ ମୟୂରଭଞ୍ଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଦାବିରେ ଜିଲ୍ଲାର ଜାଗ୍ରତ ପ୍ରହରୀ ଅଣ ରାଜନୈତିକ ଯୁବଛାତ୍ର ସଙ୍ଗଠନ ଭଞ୍ଜସେନା ପକ୍ଷରୁ ପଦଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ମାତ୍ର ଲଗାତାର ଶିକାରୀଙ୍କ ଆକ୍ରମଣ ପରେ ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନବିଭାଗ ଏବଂ ପୋଲିସର ମିଳିତ ଉଦ୍ୟମରେ ଆଗକୁ କେତେ ସଫଳତା ମିଳୁଛି ତାଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking