ବ୍ରହ୍ମପୁର: ଜାତୀୟ ରାଜପଥ-୧୬ ଲାଞ୍ଜିପଲ୍ଲୀ ବାଇପାସରୁ ଜଣେ ବ୍ୟବସାୟୀଙ୍କ କାରରୁ ୧ କୋଟି ୨୦ ଲକ୍ଷ ଟଙ୍କା ସହ ୨୦ଟି ସୁନା ବିସ୍କୁଟ ମିଳିଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଜଣେ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ଆଜି ରାତିରେ ଲାଞ୍ଜିପଲ୍ଲୀ ବାଇପାସ ଠାରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣକୁ ନେଇ ଯାଞ୍ଚ ଚାଲୁଥିଲା । ଏହି ସମୟରେ ବ୍ରହ୍ମପୁରରୁ ଜାତୀୟ ରାଜପଥ ଆଡକୁ ଯାଉଥିବା ଏକ କାରକୁ ଅଟକାଇ ବିଭାଗୀୟ ଅଧୀକାରୀମାନେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେହି କାରରୁ ନଗଦ ୧ କୋଟି ୨୦ ଲକ୍ଷ ଟଙ୍କା ଓ ୨୦ ଟି ସୁନା ବିସ୍କୁଟ ମିଳିଥିଲା । କାରରେ ମୁମ୍ବାଇର ଜଣେ ବ୍ୟବସାୟୀ ବସିଥିଲେ ।
ଏ ନେଇ ଅବକାରୀ ବିଭାଗ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଓ ସୁନା ସମେତ ସଂପୃକ୍ତ ବ୍ୟବସାୟୀଙ୍କୁ ଥାନାକୁ ନେଇଥିଲା । ତେବେ ବ୍ୟବସାୟୀ ଜଣଙ୍କ ବ୍ରହ୍ମପୁରରେ ସୁନା ବିକ୍ରି କରି ଟଙ୍କା ନେଉଥିବା ପୁଲିସକୁ କହିବା ପରେ ପୁଲିସ ବ୍ରହ୍ମପୁରର କିଛି ସୁନା ବ୍ୟବସାୟୀଙ୍କୁ ଡାକି ପଚରାଉଚରା ଜାରି ରଖିଛି । ବ୍ୟବସାୟୀ ଜଣଙ୍କ ଏହି ଟଙ୍କା ଓ ସୁନାର ସଠିକ କାଗଜପତ୍ର ଦେଖାଇପାରିନଥିବା ଜଣାପଡ଼ିଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।