ନୂଆଦିଲ୍ଲୀ: ମଙ୍ଗଳବାର ଭାରତୀୟ ଷ୍ଟକ୍ ବଜାରରେ ଏକ ଅଶୁଭବାର ରୂପେ ପ୍ରତିଫଳିତ ହୋଇଛି । ରିପୋର୍ଟ ଅନୁସାରେ ମଙ୍ଗଳବାର ମାସିକ ଅବଧି ଶେଷ ହେବା ପୂର୍ବରୁ ବଜେଟ୍ ଏବଂ ବେଞ୍ଚମାର୍କ ସୂଚକାଙ୍କରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା । ଫଳରେ ଭାରତୀୟ ଷ୍ଟକ୍ ବଜାରରେ ନିବେଶ କରିଥିବା ନିବେଶକଙ୍କ ପ୍ରାୟ ୮ଲକ୍ଷ କୋଟି ଟଙ୍କା ଗୋଟିଏ ଦିନରେ ବୁଡିଯାଇଛି ।
ମଙ୍ଗଳବାର ସକାଳ ସମୟରେ ଷ୍ଟକ୍ ମାର୍କେଟ୍ରେ ଶକ୍ତିଶାଳୀ ଆରମ୍ଭ ଦେଖିବାକୁ ମିଳିଥିଲା ।
ଅନୁମାନ କରାଯାଉଥିଲା ଯେ ନିର୍ଦ୍ଧାରିତ ସମୟ ସୁଦ୍ଧା ଏଥିରେ ଅଳ୍ପବହୁତେ ହ୍ରାସ ଓ ବୃଦ୍ଧି ଦେଖିବାକୁ ମିଳିବ ଏବଂ ଏକ ଭଲ ବେଞ୍ଚମାର୍କ ସୂଚକାଙ୍କ ସହ କାରବାର ଶେଷ ହେବ । କିନ୍ତୁ କାରବାର ହେବାର କିଛି ସମୟ ମଧ୍ୟରେ ସେନ୍ସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ସବୁଜ ରଙ୍ଗରୁ ନାଲି ରଙ୍ଗକୁ ପରିବର୍ତ୍ତନ ହୋଇଯାଇଥିଲା । ସେନ୍ସେକ୍ସରେ ୧.୪୭% ଅର୍ଥାତ୍ ୧,୦୫୩.୧୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଥିବା ବେଳେ ନିଫ୍ଟି ୧.୫୪% ଅର୍ଥାତ୍ ୩୩୩.୦୦ ପଏଣ୍ଟ ନିମ୍ନଗାମୀ ହୋଇଛି ।
କାରବାର ଶେଷବେଳକୁ ସେନ୍ସେକ୍ସ ୭୦,୩୭୦.୫୫ ପଏଣ୍ଟ ଏବଂ ନିଫ୍ଟି ୨୧,୨୩୮.୮୦ ପଏଣ୍ଟରେ ସ୍ଥିର ରହିଥିଲା । ତେବେ ମଙ୍ଗଳବାରର ଷ୍ଟକ୍ କାରବାର ମଧ୍ୟରେ ବ୍ୟାଙ୍କିଂ, ଧାତୁ, ମିଡିଆ ସହ ଫାର୍ମା ସେକ୍ଟରର ପ୍ରଭାବ ବେଶ୍ ଦେଖିବାକୁ ମିଳିଥିଲା । ଏସବୁ କ୍ଷେତ୍ରରେ ଭଲ କାରବାର ହୋଇଥିଲା । ତେବେ ଏହି ସମୟ ସୁଦ୍ଧା ଷ୍ଟକ୍ ମାର୍କେଟର ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ ଇଣ୍ଡେକ୍ସଗୁଡ଼ିକ ପ୍ରାୟ ୩% ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ୟପକ୍ଷେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍ଇ) ତାଲିକାଭୁକ୍ତ ସମସ୍ତ କମ୍ପାନୀର ଶେୟାର ୩୬୬.୩ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି ।