ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ଆଗାମୀ ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଶିକ୍ଷା କ୍ଷେତ୍ର ପାଇଁ ରେକର୍ଡ ୧.୧୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଗତବର୍ଷ (୨୦୨୨-୨୩) ତୁଳନାରେ ୮.୩% ଅଧିକ । ଏହା ମଧ୍ୟରୁ ୬୮,୮୦୪.୮୫ କୋଟି ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପାଇଁ ଏବଂ ୪୪,୦୯୪.୬୨ କୋଟି ଉଚ୍ଚଶିକ୍ଷା ବିଭାଗ ପାଇଁ ଆବଣ୍ଟିତ କରାଯାଇଛି । ଗତବର୍ଷ ଶିକ୍ଷା କ୍ଷେତ୍ର ପାଇଁ ବଜେଟ୍ରେ ୧.୦୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା । ଚଳିତ ବଜେଟ୍ରେ ସାଢ଼େ ୩ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୭୪୦ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ରେ ୩୮,୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତି ପାଇବାର ପ୍ରସ୍ତାବ ରହିଛି । ସେହିପରି ୧୫୭ ନୂଆ ନର୍ସିଂ କଲେଜ ଖୋଲାଯିବ । ଇଞ୍ଜିନିୟରିଂ ସଂସ୍ଥାନରେ ୫-ଜି ସେବା ଉପରେ ଆଧାରିତ ୧୦୦ ଲାଇବ୍ରେରୀ ନିର୍ମାଣ କରାଯିବ । ୪୭ ଲକ୍ଷ ଯୁବକଙ୍କୁ ଜାତୀୟ ପ୍ରଶିକ୍ଷୁତା ପ୍ରୋତ୍ସାହନ ଯୋଜନାରେ ୩ ବର୍ଷ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ । ଯୁବକଙ୍କୁ ଗ୍ଲୋବାଲ୍ ଲେଭଲ୍ ଟ୍ରେନିଂ ଯୋଗାଇଦେବା ପାଇଁ ୩୦ ସ୍କିଲ୍ ଇଣ୍ଡିଆ ଇଣ୍ଟରନାସ୍ନାଲ୍ ସେଣ୍ଟର୍ ଖୋଲାଯିବ । ଇନୋଭେସନ୍ ଏବଂ ରିସର୍ଚ୍ଚ ପାଇଁ ନୂଆ ନାସ୍ନାଲ୍ ଡାଟାବେସ୍ ପଲିସି ଗଠନ କରାଯିବ । ଏହାର ଲାଭ ଷ୍ଟାର୍ଟଅପ୍ ଏବଂ ଏଜୁକେସନ୍ରେ ମିଳିବ । ଶିକ୍ଷକଙ୍କୁ ଟ୍ରେନିଂ ପାଇଁ ଏକ୍ସଲେନ୍ସ ଇନ୍ଷ୍ଟିଚ୍ୟୁଟ୍, ଶିଶୁ ଏବଂ ଛାତ୍ରଙ୍କ ପାଇଁ ନାସ୍ନାଲ୍ ଡିଜିଟାଲ୍ ଲାଇବ୍ରେରୀ ଗଠନ କରାଯିବ । ୨୦୨୩-୨୪ରେ ସରକାର ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ୍ ଖୋଲିବେ ଏବଂ ଏଥିପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି । ସେହିପରି ଆର୍ଥିକ ସାକ୍ଷରତା ପାଇଁ ସରକାର ଏନ୍ଜିଓଙ୍କ ସହିତ ମିଶି କାର୍ଯ୍ୟ କରିବେ । ଆସନ୍ତା ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ର ପ୍ରାରମ୍ଭ କରାଯିବ ।
କୃଷି ବିଜେଟ୍
କିଷାନ୍ କ୍ରେଡିଟ୍ କାର୍ଡ ଦେଢ଼ଲକ୍ଷ କୋଟି ଟଙ୍କା ବୃଦ୍ଧି
ତିନିବର୍ଷରେ ଏକ କୋଟି ଲୋକଙ୍କୁ ପ୍ରାକୃତିକ କୃଷିରେ ଯୋଡ଼ିବା ଲକ୍ଷ୍ୟ
ଚଳିତ ବଜେଟ୍ରେ କୃଷି ବାବଦକୁ ୧.୧୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗତବର୍ଷ ତୁଳନାରେ ଏହା ସାମାନ୍ୟ (୪.୬%) ବୃଦ୍ଧି ପାଇଛି । ଚଳିତ ବଜେଟ୍ରେ ସରକାର କିଶାନ୍ କ୍ରେଡିଟ୍ କାର୍ଡ (କେସିସି) ସୀମା ୨୦ ଲକ୍ଷ କୋଟି ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଏହା ୧୮.୫୦ ଲକ୍ଷ କୋଟି ଥିଲା । ଅର୍ଥାତ୍ ଚଳିତ ଥର ଦେଢ଼ଲକ୍ଷ କୋଟି ଟଙ୍କା ବୃଦ୍ଧି କରାଇଛି । ଏହା ବ୍ୟତୀତ ଅର୍ଥ ମନ୍ତ୍ରୀ ଆଉ ଦୁଇଟି ଘୋଷଣା କରିଛନ୍ତି । ପ୍ରଥମଟି ହେଲା ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଫର୍ ଏଗ୍ରୀକଲ୍ଚର୍ । ଏହି ଓପନ୍ ସୋର୍ସରୁ କୃଷକଙ୍କୁ ସାର, ମଞ୍ଜିଠାରୁ ନେଇ ମାର୍କେଟ୍ ଏବଂ ଷ୍ଟାର୍ଟଅପ୍ସର ସୂଚନା ମିଳିପାରିବ । ଦ୍ୱିତୀୟଟି ହେଉଛି ଅଗ୍ରୀକଲ୍ଚର୍ ଆକ୍ସିଲେଟର ଫଣ୍ଡ୍ । ଏହା ଦ୍ୱାରା ଗ୍ରାମୀଣ ଯୁବକଙ୍କୁ ଷ୍ଟାର୍ଟଅପ୍ ଆରମ୍ଭ କରିବା ସୁଯୋଗ ମିଳିବ । ଏହା ବ୍ୟତୀତ ଚଳିତ ବଜେଟ୍ରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନା ବାବଦକୁ ୬ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି । ଯଅ ଭଳି ଖାଦ୍ୟଶସ୍ୟକୁ ପ୍ରୋତ୍ସାହନ ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ଗଠନ କରାଯିବ ବୋଲି ବଜେଟ୍ରେ ପ୍ରସ୍ତାବ ରଖାଯାଇଛି । ସେହିପରି ଉଦ୍ୟାନ ଉତ୍ପାଦନ ବୃଦ୍ଧି ପାଇଁ ୨,୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ତିନିବର୍ଷ ମଧ୍ୟରେ ଏକ କୋଟି କୃଷକଙ୍କୁ ପ୍ରାକୃତିକ କୃଷି ପାଇଁ ପ୍ରୋତ୍ସାହିତ କରାଯିବା ଯୋଜନା ରହିଛି । ଏଥିପାଇଁ ୧୦ ହଜାର ବାୟୋ ଇନ୍ପୁଟ୍ ରିସର୍ଚ୍ଚ ସେଣ୍ଟର୍ ସ୍ଥାପନ କରାଯିବ । ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରଶିପ୍ (ପିପିପି) ମଡେଲ୍ରେ କପାଚାଷକୁ ବୃଦ୍ଧି କରାଯିବା ଯୋଜନା ମଧ୍ୟ ରହିଛି । କୃଷକଙ୍କ ପାଇଁ ସହକାରରୁ ସମୃଦ୍ଧି କାର୍ଯ୍ୟକ୍ରମ ଚଳାଯିବ । ଏହା ଜରିଆରେ ୬୩ ହଜାର ଏଗ୍ରୀ ସୋସାଇଟିକୁ କମ୍ପ୍ୟୁଟରାଇଜ୍ଡ କରାଯିବ । ଏହା ସହିତ ଅର୍ଥମନ୍ତ୍ରୀ ସୀତାରମଣ ଗୋବର୍ଦ୍ଧନ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ପାଞ୍ଚଶହ ନୂଆ ‘ୱେଷ୍ଟ୍ ଟୁ ୱେଲଥ‘ ପ୍ଲାଣ୍ଟ୍ ନିର୍ମାଣ କରାଯିବ ।
ପ୍ରତିରକ୍ଷା କ୍ଷେତ୍ରକୁ ୫.୯୪ ଲକ୍ଷ କୋଟି ଆବଣ୍ଟିତ
ଭିତ୍ତିଭୂମି ଓ ଆତ୍ମନିର୍ଭର ଭାରତ ଉପରେ ଜୋର୍
ଚଳିତ ବଜେଟ୍ରେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ୫,୯୩,୫୭୩.୬୪ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି, ଯାହା ମୋଟ ବଜେଟ୍ର ୮ ପ୍ରତିଶତ । ଗତବର୍ଷର ବ୍ୟୟବରାଦ ତୁଳନାରେ ଏହା ୫୯ ହଜାର କୋଟି ଟଙ୍କା ଅର୍ଥାତ୍ ୧୩% ଅଧିକ । ଚଳିତ ଥର ସରକାର ନୂଆ ଅସ୍ତ୍ରଶସ୍ତ୍ର କ୍ରୟ, ସଶସ୍ତ୍ର ବଳର ଆଧୁନିକୀକରଣ, ପ୍ରତିରକ୍ଷା କ୍ଷେତ୍ର ସହିତ ଜଡ଼ିତ ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ଉପରେ ବିଶେଷ ଜୋର୍ ଦେଇଛନ୍ତି । ଚଳିତ ବଜେଟ୍ରେ ପୁଞ୍ଜିଗତ ବ୍ୟୟରେ ୧୦ ହଜାର କୋଟି ଟଙ୍କା ବୃଦ୍ଧି କରି ୧.୬୨ କୋଟି ଟଙ୍କା ରଖାଯାଇଛି । ଏଥିରେ ନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧପୋତ ଏବଂ ଅନ୍ୟ ସାମରିକ ସରଞ୍ଜାମ ସାମିଲ । ଏହାର ଏକ ବଡ଼ ଭାଗ ସରକାରଙ୍କ ‘ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଘରୋଇ ବଜାରରୁ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଓ ସାମରିକ ଯନ୍ତ୍ରାଂଶ କ୍ରୟରେ ଖର୍ଚ୍ଚ ହେବ । ଗତବର୍ଷ ଏହା ୧.୫୨ କୋଟି ଟଙ୍କା ଥିଲା । ଆଧୁନିକୀକରଣ ବଜେଟ୍ରେ ଚଳିତ ଥର ୬.୫%ର ସାମାନ୍ୟ ବୃଦ୍ଧି ଘଟିିଛି । ଆବଣ୍ଟିତ ବଜେଟ୍ ଅର୍ଥ ବାବଦରୁ ୨.୭୦ ଲକ୍ଷ କୋଟି ଟଙ୍କା ରାଜସ୍ୱ ବ୍ୟୟ ବାବଦରେ ରଖାଯାଇଛି । ଏହା ମଧ୍ୟରେ ସୈନ୍ୟ କର୍ମଚାରୀଙ୍କ ଦରମା ଏବଂ ପ୍ରତିଷ୍ଠାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ସାମିଲ । ୨୦୨୩-୨୪ ବଜେଟ୍ରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ସିଭିଲ୍) ପାଇଁ ପୁଞ୍ଜିଗତ ବ୍ୟୟବରାଦ ୮,୭୭୪ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପୁଞ୍ଜିଗତ ବ୍ୟୟବରାଦ ଅଧୀନରେ ୧୩,୮୩୭ କୋଟି ଆବଣ୍ଟିତ କରାଯାଇଛି । ପେନ୍ସନ୍ ବାବଦରେ ଅଲଗା ଭାବେ ୧,୩୮,୨୦୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ପେନ୍ସନ୍ ବ୍ୟୟବରାଦ ସହିତ ମୋଟ ରାଜସ୍ୱ ବ୍ୟୟ ୪,୨୨,୧୬୨ କୋଟି ଟଙ୍କା ରହିବାର ଅନୁମାନ କରାଯାଇଛି ।
ଲାଭରେ କିଏ, କ୍ଷତି କାହାର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ୨୦୨୩-୨୪ ଆର୍ôଥକବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଆସନ୍ତାବର୍ଷ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାରଙ୍କ ତରଫରୁ ନିଯୁକ୍ତି ଓ ପୁଞ୍ଜି ବିନିଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ତେବେ ଚଳିତ ବଜେଟ୍ରେ କୃଷି, ପର୍ଯ୍ୟଟନ, ଭିତ୍ତିଭୂମି, ଆୟକର, ସିମେଣ୍ଟ, ଇଲେକ୍ଟ୍ରିକ୍ ଯାନ, ସବୁଜ ଶକ୍ତିି (ଗ୍ରୀନ୍ ଏନର୍ଜି) ଭଳି କ୍ଷେତ୍ରଗୁଡିକ ଲାଭବାନ ହେବାକୁ ଯାଉଛନ୍ତି ।
କୃଷି: ଭାରତୀୟ ଅର୍ଥନୀତିରେ କୃଷିର ଅବଦାନ ହେଉଛି ୧୯ ପ୍ରତିଶତ । ତେଣୁ ଏହି କ୍ଷେତ୍ର ପାଇଁ ମୋଟ ୨୨୦୦ କୋଟି ଟଙ୍କା ବ୍ୟଽରାଦ କରାଯାଇଛି । ନ୍ୟାଚୁରାଲ ଚାଷକାର୍ଯ୍ୟ କରୁଥିବା ୧ କୋଟି ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯିବ । ଉଦ୍ୟାନ କୃଷି ଏବଂ ଫାର୍ମ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ମିଳିବ । ଫଳରେ କାବେରୀ ସିଡ୍ସ, ଧାନୁକା ଏଗ୍ରିଟେକ୍, ବମ୍ବେ ସୁପର ହାଇବ୍ରିଡ୍, ସିଡ୍ସ ଏବଂ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜରର୍ସ ଭଳି କମ୍ପାନୀ ଲାଭବାନ ହେବେ ବୋଲି ଆଶା କରାଯାଉଛି ।
ପର୍ଯ୍ୟଟନ: ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଏଥର ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ଚିହ୍ନଟ କରାଯିବ । ସେଠାରେ ଷ୍ଟ୍ରିଟ୍ ଫୁଡ୍, ସିକ୍ୟୁରିଟୀ ଓ ଅନ୍ୟ ପ୍ରସଙ୍ଗରେ ସୂଚନା ପାଇବାକୁ ସ୍ୱତନ୍ତ୍ର ପର୍ଯ୍ୟଟନ ଆପ୍ ପ୍ରଚଳନ କରାଯିବ । ଫଳରେ ଟିକଟ ବୁକିଂ କମ୍ପାନୀ ଓ ହୋଟେଲ ଗ୍ରୁପ୍ ଯଥା ଆଇଆରସିଟିସି, ଥେମାସ କୁକ୍ ଓ ଇଣ୍ଡିଆ ହୋଟେଲ ଏବଂ ଇଷ୍ଟ ଇଣ୍ଡିଆ ହୋଟେଲ ଭଳି କମ୍ପାନୀ ଲାଭବାନ ହେବେ ।
ଭିତ୍ତିଭୂମି: ଦେଶବ୍ୟାପୀ କନେକ୍ଟିଭିଟି ବୃଦ୍ଧି କରିବାକୁ ୫୦ଟି ନୂଆ ଏୟାରପୋର୍ଟ ଓ ହେଲିପ୍ୟାଡ୍ ନିର୍ମାଣ ଯୋଜନା ହାତକୁ ନିଆଯାଇଛି । ଫଳରେ ଅଦାନି ଏୟାରପୋର୍ଟ ହୋଲଡିଙ୍ଗ୍ସ ଲିମିଟେଡ୍, ଜିଏମଆର ଏୟାରପୋର୍ଟସ ଇନ୍ଫ୍ରାଷ୍ଟ୍ରକ୍ଚର, ଜିଭିକେ ଏୟାରପୋର୍ଟ ଡେଭଲପର୍ସ ବ୍ୟତୀତ ଲାର୍ସନ ଆଣ୍ଡ୍ ଟ୍ୟୁବ୍ରୋ, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଭଳି କମ୍ପାନୀ ଲାଭବାନ ହେବାର ସୁଯୋଗ ରହିଛି ।
ଆୟକରଦାତା: ଚଳିତ ବଜେଟ୍ରେ ଆୟକରଦାତାଙ୍କୁ ରିହାତି ପ୍ରଦାନ କରାଯାଇଛି । ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ । ପୁନଶ୍ଚ ଟିକସ ସ୍ଲାବ୍ ସଂଖ୍ୟାକୁଚ ମଧ୍ୟ ହ୍ରାସ କରାଯାଇଥିବାବେଳେ ସର୍ବାଧିକ ଟିକସ ହାର ୩୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।
ମେଟାଲ/ସିମେଣ୍ଟ: ବାସଗୃହ ନିର୍ମାଣ, ଭିତ୍ତିଭୂମି ଏବଂ ରେଳବାଇ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇଥିବାରୁ ଲୁହା, ଆଲୁମିନିୟମ ସମେତ ସିମେଣ୍ଟ କମ୍ପାନୀ ଅଧିକ ଲାଭ କମାଇବେ ବୋଲି କୁହାଯାଉଛି । ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ ସମେତ ବିଭିନ୍ନ ସିମେଣ୍ଟ କମ୍ପାନୀର ବ୍ୟବସାୟିକ କାରବାର ଆକାଶଛୁଆଁ ହେବ ।
ଇଲେକ୍ଟ୍ରିକ୍ ଯାନ: ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଲିଥିୟମ ଯୁକ୍ତ ବ୍ୟାଟେରୀ ନିର୍ମାଣ କରୁଥିବା ଏକ୍ସାଇଡ୍ ବ୍ୟାଟେରୀ, ଅମର ରାଜା ବ୍ୟାଟେରିଜ୍ ଏବଂ ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଭଳି କମ୍ପାନୀର ବ୍ୟବସାୟ ଦ୍ୱିଗୁଣିତ ହେବ ।
କ୍ଷତି ସହିବେ: ସିଗାରେଟ୍ ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଆଇଟିସି ଓ ଗଡ୍ଫ୍ରେ ଫିଲିପ୍ସ ଇଣ୍ଡିଆକୁ ଚଡକ ପଡିବ ।
ସ୍ୱର୍ଣ୍ଣାଳଙ୍କାର: ସୁନା ଆମଦାନୀ ଉପରେ ଲାଗୁ ହେଉଥିବା ଟିକସ ଅପରିବର୍ତ୍ତିତ ରଖାଯାଇଥିବାରୁ ସୁନା, ରୁପା ଓ ଇମିଟେସନ ଗହଣା ମହଙ୍ଗା ହେବାକୁ ଯାଉଛି । ଫଳରେ କଲ୍ୟାଣ ଜୁଏଲର୍ସ, ତନିଷ୍କ୍ ଓ ପିସି ଚନ୍ଦ୍ରା ଜୁଏଲର୍ସ ଭଳି କମ୍ପାନୀ କ୍ଷତି ସହିବେ ।
ତୈଳ ବିଶୋଧନାଗାର: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରୁନଥିବାରୁ ଘରୋଇ ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରବଳ କ୍ଷତି ସହିଆସୁଛନ୍ତି । ତେବେ ସରକାର ବଜେଟ୍ରେ ସେମାନଙ୍କ ପାଇଁ କ୍ଷତିପୂରଣ ବରାଦ କରିନଥିବାରୁ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ କ୍ଷତିରେ ରହିବେ ।