30.1 C
Bhubaneswar
Thursday, May 21, 2026
Homeଓଡିଶାମାହାଙ୍ଗାରେ ଅସମ୍ପୂର୍ଣ୍ଣ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ ବିରୋଧରେ ବିଜୁ ମହିଳା ଜନତା...

ମାହାଙ୍ଗାରେ ଅସମ୍ପୂର୍ଣ୍ଣ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ ବିରୋଧରେ ବିଜୁ ମହିଳା ଜନତା ଦଳର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ମାହାଙ୍ଗା ବ୍ଲକ୍ ପକ୍ଷରୁ ୨୧ ମଇ ୨୦୨୬ ଅପରାହ୍ନ ୪ଟାରେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା । ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନକୁ ବିରୋଧ କରି ଏହି ଆନେ୍ଦାଳନ କରାଯାଇଥିଲା । ବିଜୁ ମହିଳା ଜନତା ଦଳର ନେତୃବୃନ୍ଦ କହିଥିଲେ ଯେ, ମାହାଙ୍ଗା ବିଧାନସଭା ଅନ୍ତର୍ଗତ ୪୪ଟି ଗ୍ରାମପଞ୍ଚାୟତକୁ ସୁବିଧାରେ ପାଇପ୍ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ମସିହାରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ଏହି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ପ୍ରାୟ ୨ ବର୍ଷ କାଳ ଅତିବାହିତ ହେବା ସତ୍ତ୍ୱେ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟସୀମାରେ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଅନେକ ଗ୍ରାମରେ ଏପର୍ଯ୍ୟନ୍ତ ଘରେ ଘରେ ପାଣି ସଂଯୋଗ ହୋଇପାରି ନାହିଁ । ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ସ୍ଥାନୀୟ ବିଧାୟକ ଓ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ ନକରି ପ୍ରକଳ୍ପର ଔପଚାରିକ ଉଦ୍ଘାଟନ କରିଥିଲେ । ସାଧାରଣ ଜନତା ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପିଇବା ପାଣି ପାଇବାରୁ ବଞ୍ଚିତ ଥିବାବେଳେ ଏକ ଅସମ୍ପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବା ପଛରେ କ’ଣ ଉଦେ୍ଦଶ୍ୟ ରହିଛି ବୋଲି ଦଳୀୟ ନେତୃବୃନ୍ଦ ପ୍ରଶ୍ନ ଉଠାଇଥିଲେ ।
ଜନସାଧାରଣଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜୁ ମହିଳା ଜନତା ଦଳର ମାହାଙ୍ଗା ବ୍ଲକ ସଭାନେତ୍ରୀ ସୁସ୍ମିତା ଦାସଙ୍କ ନେତୃତ୍ୱରେ ପ୍ରକଳ୍ପର ସମ୍ପୂର୍ଣ୍ଣତା ଏବଂ ସମସ୍ତ ହିତାଧିକାରୀଙ୍କ ପାଇଁ ପାଇପ୍ ଜଳ ଯୋଗାଣ ଯୋଜନାର ସଠିକ୍ କାର୍ଯ୍ୟକାରିତା ଦାବିରେ ଏହି ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ରୁ ଊଦ୍ଧ୍ୱର୍ ବିଜେଡି କର୍ମୀ, ମହିଳା ସଦସ୍ୟା ଏବଂ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ବିଜୁ ମହିଳା ଜନତା ଦଳ ପକ୍ଷରୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ଶୃଙ୍ଖଳାକୁ ସମ୍ମାନ ଜଣାଇ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking