ଭୁବନେଶ୍ୱର: ୨୬ତମ ରାଜଧାନୀ ପୁସ୍ତକ ମେଳା ଆସନ୍ତା ନଭେମ୍ବର ୧୫ ତାରିଖରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁଯାଉଛି । ମେଳା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ପୁସ୍ତକ ମେଳା କମିଟିର ସଭାପତି ଡକ୍ଟର ଉପେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆୟୋଜନ କମିଟି ବୈଠକରେ ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ସଭ୍ୟ ବୀରକିଶୋର ପ୍ରଧାନ, କମଳିନୀ ମଲ୍ଲିକ ଏବଂ ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ଡ.ପୀତବାସ ରାଉତରାୟ, ଉପସଭାପତି ଡ.ଅଭୟ ନାୟକ, ସମ୍ପାଦକ ଭାସ୍କର ଜେନା ଯୋଗଦେଇ ମେଳାର ସଫଳତା ଉପରେ ଆଲୋଚନା କରିଥିଲେ ।ଚଳିତ ବର୍ଷ ମେଳାରେ ୪୦୦ରୁ ଅଧିକ ଷ୍ଟଲ ଖୋଲାଯିବ । ଦେଶର ବହୁ ଖ୍ୟାତନାମା ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତା ଓ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିବେ । ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଦିନରେ ସାହିତ୍ୟ ସଭାର ଆୟୋଜନ ମଧ୍ୟ କରାଯିବ । ଏହି ଅବସରରେ ଓଡ଼ିଆ ସାହିତ୍ୟର ୧୨ଟି ବିଭାଗରେ ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯିବ।










