ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏବେ ମା’ ଓ ଶିଶୁମାନଙ୍କର ଯତ୍ନପ୍ରତି ସକରାତ୍ମକ ପଦକ୍ଷେପ ଗ୍ରହଣପୂର୍ବକ ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାରଗୁଡ଼ିକର ଅଡିଟ କରାଯିବ । ଏ ସଂକ୍ରାନ୍ତରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଚଳିତ ବର୍ଷ ମଇ ମାସ ୧ ତାରିଖରୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ପ୍ରାପ୍ତ ହୋଇଥିବା ସୂଚନା ଅନୁଯାୟୀ ଅସ୍ତ୍ରୋପଚାରଜନିତ ପ୍ରସବ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ (ଏନ୍ଏଫ୍ଏମ୍ଏସ୍-୪) ୨୦୧୫-୧୬ ଓ (ଏନ୍ଏଫ୍ଏମ୍ଏସ୍-୫) ୨୦୧୯-୨୧ ମଧ୍ୟରେ ଏହି ପ୍ରସବଜନିତ ଅସ୍ତ୍ରୋପଚାରର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚିଛି, ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ଗଠିତ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ପ୍ୟାନେଲ ଦ୍ୱାରା ସୁପାରିଶ ସ୍ତରଠାରୁ ଅଧିକ ଅଟେ । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାରର ଅଡିଟ୍ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପ୍ରସଙ୍ଗରେ ୩ଟି ପର୍ଯ୍ୟାୟରେ ଅଡିଟ୍ କରାଯିବ । ପ୍ରଥମେ ନିର୍ଦ୍ଧାରିତ ଫର୍ମାଟରେ ଅଡିଟ୍ କରାଯିବ ।
ପରବର୍ତ୍ତୀ ସମୟରେ ଏହାକୁ ଫର୍ମାଟ-ବିରେ ସ୍ଥାନିତ କରାଯିବ । ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଠିକ୍ ଭାବେ ତନଖି କରି ସାରିବା ପରେ ଫର୍ମାଟ-ସିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ଏହା ପଠାଯିବ । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଛି, ଯିଏକି ସମସ୍ତ ଘରୋଇ ସ୍ୱାସ୍ଥ୍ୟସଂସ୍ଥା ସହ ସମନ୍ୱୟ ରକ୍ଷା କରି ଏହି ଅଡିଟ୍ କିପରି ଠିକ୍ ଭାବେ କାର୍ଯ୍ୟକରିବ ସେ ସମ୍ପର୍କରେ ତଦାରଖ କରିବେ ।