35.1 C
Bhubaneswar
Sunday, May 19, 2024
Homeଓଡିଶାଗଞ୍ଜା ଲଢ଼େଇରେ ଅର୍ଥ ଲଗାଣ, ୬ ଗିରଫ

ଗଞ୍ଜା ଲଢ଼େଇରେ ଅର୍ଥ ଲଗାଣ, ୬ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଜଙ୍ଗଲଘେରା ଅଞ୍ଚଳରେ ଏବେ ଗଞ୍ଜା ଲଢ଼େଇ ଦେଖିବାକୁ ମିଳୁଛି । ଏହି ଗଞ୍ଜାଲଢ଼େଇରେ ଅର୍ଥ ଲଗାଣ କରିବା ସହ ଏକପ୍ରକାର ଜୁଆ ଖେଳରେ ପରିଣତ କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି । ବିଶେଷକରି ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ଏହି ଅଞ୍ଚଳରେ ଗଞ୍ଜା ଲଢ଼େଇକୁ ନିଜର ମନୋରଞ୍ଜନର ମାଧ୍ୟମ ତଥା ପରମ୍ପରା ହିସାବରେ ନେଉଥିବା କିଛି ଅସାଧୁ ବ୍ୟକ୍ତି ଏହି ଲଢ଼େଇରେ ବିପୁଳ ପରିମାଣରେ ଟଙ୍କା ଲଗାଇ ଅର୍ଥ ରୋଜଗାର କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଧିଆନାଳୀର ମୁଣ୍ଡାସାହିସ୍ଥିତ ଫୁଟ୍‌ବଲ ପଡ଼ିଆ ନିକଟରେ କିଛି ଅସାମାଜିକ ଲୋକ ଏଭଳି ଗଞ୍ଜା ଲଢ଼େଇ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ଚୌଦ୍ୱାର ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା ।

ଏସ୍‌ଆଇ ବିକ୍ରମ ବେହେରାଙ୍କ ସହିତ ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ । ଚଢ଼ଉବେଳେ ଏଥିରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଖେଳର ମୁଖ୍ୟ କାର୍ପଟଦାର ଡାଳିଯୋଡ଼ା ବ୍ରହ୍ମପୁର ଅଞ୍ଚଳର ଶିବ ମଲ୍ଲିକ (୩୬)ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ପଟିଆ ଅଞ୍ଚଳର ନିହାର ରଞ୍ଜନ ରାଉତ (୨୪), କଟକ ବିଡ଼ାନାସୀ ଅଞ୍ଚଳର ସନ୍ତୋଷ ବେହେରା (୪୮), ଟାଙ୍ଗୀ ହରିଡ଼ାପାଳ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହନ୍ତ (୩୦), ଖୋର୍ଦ୍ଧା ରଙ୍ଗମାଟିଆ ଅଞ୍ଚଳର ସତ୍ୟବ୍ରତ ସାହୁ (୩୧), ଟାଙ୍ଗୀ ଅଭୟପୁରର ଭଗତ ବଳ (୬୨) । ଏଥିସହ ସେମାନଙ୍କ ନିକଟରୁ ନଗଦ ୩୩ହଜାର ୫୮୦ ଟଙ୍କା, ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ୭ଟି ଗଞ୍ଜା, ଗୋଟିଏ ଧାରୁଆ ଛୁରି, ଏକ ବାଇକ୍ ଓ କାର୍‌କୁ ଜବତ କରାଯାଇଛି । ଏ ନେଇ ୫୫୨/୨୧ରେ ମାମଲା ରୁଜୁ ହୋଇଥିବାବେଳେ ଧାରା ୩ ଓପିଜି ଆକ୍ଟ/୧୧(ଏନ୍‌)ରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଏସ୍‌ଆଇ ପାର୍ଥପ୍ରତୀମ ବେଉରା ଘଟଣାର ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking