ରାୟପୁର: ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳାଯିବ । ୨-୧ରେ ଆଗୁଆ ଥିବା ଭାରତ ଗ୍ଲେନ୍ ମାକ୍ସୱେଲ୍ଙ୍କ ଅନୁପସ୍ଥିତିର ସୁଯୋଗରେ ନିଜ ବୋଲିଂ ୟୁନିଟ୍ର ପ୍ରଦର୍ଶନରେ ସୁଧାର ଆଣି ଏହି ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିବ । ତୃତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ମାକ୍ସୱେଲ୍ଙ୍କୁ ଶତକ ସହାୟତାରେ ୨୨୩ ରନ୍ର ବିଶାଳ ସ୍କୋର୍କୁ ସଫଳତାର ସହ ପିଛା କରିଥିବା ବେଳେ ଭାରତୀୟ ବୋଲିଂ ୟୁନିଟ୍ ଅନ୍ତିମ ଦୁଇ ଓଭର୍ରେ ସଂଘର୍ଷ କରି ୪୦ ରନ୍ ଡିଫେଣ୍ଡ୍ କରିବାରେ ବିଫଳ ହୋଇଥିଲା । ପ୍ରସିଦ୍ଧ କ୍ରିଷ୍ଣା ଶେଷ ଓଭର୍ରେ ୨୧ ରନ୍ ସମେତ ଚାରି ଓଭର୍ରେ ୬୮ ରନ୍ ଦେଇଥିବା ବେଳେ ଆସନ୍ତାକାଲିର ମ୍ୟାଚ୍ରେ ଭାରତୀୟ ବୋଲିଂରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ନୂଆ ବଲ୍କୁ ଗତିଶୀଳ କରିବା ଦକ୍ଷତା ପାଇଁ ପରିଚିତି ଦୀପକ ଚହର୍ଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଗୋଟିଏ ମ୍ୟାଚ୍ର ବ୍ରେକ୍ ପରେ ଡେଥ୍ ଓଭର୍ ସ୍ପେଶାଲିଷ୍ଟ୍ ମୁକେଶ କୁମାରଙ୍କ ଉପସ୍ଥିତି ସମ୍ଭାବ୍ୟ ସମାଧାନର ବାଟ ଖୋଲିପାରେ ।
ବ୍ୟାଟିଂରେ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନକୁ ଦେଖିଲେ ତିଳକ ବର୍ମାଙ୍କୁ ବେଞ୍ଚ୍ରେ ବସିବାକୁ ପଡ଼ିପାରେ । ଅନ୍ୟପକ୍ଷରେ ୟଶସ୍ୱୀ ଜୟସ୍ୱାଲ, ରୁତୁରାଜ ଗାଏକ୍ୱାଡ୍, ଇଶାନ କିଶନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଫିନିସର୍ ରିଙ୍କୁ ସିଂହଙ୍କ ସ୍ଥାନ ପ୍ରାୟତଃ ପକ୍କା । ଗତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମାକ୍ସୱେଲ୍ଙ୍କ ସମେତ ଷ୍ଟିଭ୍ ସ୍ମିଥ୍, ଆଦମ୍ ଜାମ୍ପାଙ୍କ ଅନୁପସ୍ଥିତିରେ ମ୍ୟାଚ୍ ଜିତିବା ପାଇଁ ଏହା ଭାରତ ନିକଟରେ ବଡ଼ ସୁଯୋଗ ହେବ । ଏହା ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ଯୁବ ବାହିନୀକୁ ଟିମ୍ ଡେଭିଡ୍, ଜୋସ୍ ଫିଲିପ୍ ଓ ବେନ୍ ମାକ୍ଡର୍ମଟ୍ଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ିବ । ସେହିପରି ଫର୍ମରେ ଥିବା ଟ୍ରାଭିସ୍ ହେଡ୍ ଓ ଅଭିଜ୍ଞ ମାଥ୍ୟୁ ହେଡ୍ ମଧ୍ୟ ମ୍ୟାଚ୍ର ଗତି ପରିବର୍ତ୍ତନ କରିବା କ୍ଷମତା ରଖିଛନ୍ତି ।
ଗୁଆହାଟୀ ପରି ରାୟପୁରରେ ମଧ୍ୟ କାକର୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ତେଣୁ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ଫିଲ୍ଡିଂ ନେବାକୁ ପସନ୍ଦ କରିବେ । ଯଶସ୍ୱୀ, ଇଶାନ, ରିଙ୍କୁ, ତିଲକ ଓ ଅଧିନାୟକ ସୂର୍ଯ୍ୟଙ୍କ ଭଳି ପ୍ରତିଶ୍ରୁତିମାନ ଖେଳାଳିଙ୍କ ନେତୃତ୍ୱରେ ଭାରତର ବ୍ୟାଟିଂ ଲାଇନ୍ ଭଲ ପ୍ରଦର୍ଶନ କରିଛି । ଋତୁରାଜ ଗାଏକ୍ୱାଡ୍ ୫୭ ବଲ୍ରୁ ୧୨୩ ରନ୍ କରି ଦଳ ପାଇଁ ଆତ୍ମିଶ୍ୱାସ ବଢ଼ାଇଛନ୍ତି । ବୋଲର୍ଙ୍କ ପାଇଁ ଅନୁକୂଳ ପରିବେଶ ନଥିବା ସତ୍ତ୍ୱେ ଛଅ ଇନିଂସ୍ରୁ ପାଞ୍ଚଟିରେ ୨୦୦ରୁ ଅଧିକ ରନ୍ ସଂହ ହୋଇଥିବାରୁ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ରେ ଏହି ଧାରା ବଜାୟ ରହିବା ଆଶା କରାଯାଉଛି ।