ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ପଞ୍ଚାୟତ ଦହପଡ଼ା(ପାଟପାରୀ) ଗ୍ରାମର ହେମନ୍ତ ରାଉତଙ୍କ ପୁତ୍ର ରଶ୍ମିକାନ୍ତ ରାଉତ ବିଳମ୍ବିତ ରାତିରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ସଂକ୍ରାନ୍ତରେ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ମୃତ ରଶ୍ମିକାନ୍ତ ଜଣେ ଗରିବ ପରିବାରର ।ଚଳିତ ଖରିଫ୍ ଋତୁରେ ବିଭିନ୍ନ ଜମି ମାଲିକଙ୍କ ଠାରୁ କାଟ ସୂତ୍ରରେ ତିନି ଏକର ଜମି ଆଣି ଧାନଚାଷ କରିଥିଲେ । ଏହି ଧାନଚାଷ କରିବା ପାଇଁ କେତେ ଜଣ ଲୋକଙ୍କ ଠାରୁ ସୁଧ ବାବଦରେ ଟଙ୍କା ଆଣିଥିଲେ । ଚଳିତ ବର୍ଷ ଅଦିନିଆ ବର୍ଷା ଧାନଚାଷର ପିଛା ଛାଡୁ ନଥିବା ବେଳେ ଜୱାଦ ଘୂର୍ଣ୍ଣିଝଡ ମଧ୍ୟ ଚାଷୀଙ୍କୁ ଅନେକ କଷ୍ଟ ଦେଇଥିଲା ।
ସର୍ବୋପରି ଏହାପରେ ଧାନକଟା ହୋଇ ବିଲରେ ପଡ଼ିଥିବା ବେଳେ ତିନି ଦିନ ହେବ ଲଗାଣ ବର୍ଷାରେ ସେଗୁଡିକ ଓଦା ହୋଇ ଗଜା ହେବାକୁ ଲାଗିଲାଣି । ଚଳିତ ବର୍ଷ ଅଦିନିଆ ବର୍ଷାର ପ୍ରଭାବରେ ପାଚିଲା ଧାନ ଗୁଡିକ ଏଭଳି କ୍ଷୟକ୍ଷତି ହୋଇଛି ଯେ ଧାନ ଆଉ ଘରକୁ ଆସିପାରିବ ନାହିଁ କି ଧାର କରଜ ହୋଇଥିବା ଟଙ୍କା ଆଉ ଶୁଝି ହେବ ନାହିଁ ବୋଲି ଯୁବ ଚାଷୀ ଜଣକ ଚିନ୍ତା କରି ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି ।
ଯୁବ ଚାଷୀଙ୍କ ପିତା ଥାନାରେ ଏଭଳି ଅଭିଯୋଗ କରିଥିବା ବେଳେ ପୁଲିସ ଏହାର କୌଣସି ତଦନ୍ତ କରିନଥିବା ଜଣାଯାଇଛି । ଆତ୍ମହତ୍ୟାରେ ବ୍ୟବହୃତ ହୋଇଥିବା ରଶିକୁ ସାଲେପୁର ପୁଲିସ ଜବତ କରିବା ସହ ମୃତ ଦେହକୁ ଜବତ କରି ସାଲେପୁର ଥାନା କେଶ୍ ନଂ ୦୧/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି । ଅପରପକ୍ଷରେ ପାରିବାରିକ କଳହରୁ ରଶ୍ମିକାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୁଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କୁହାଯାଉଛି ।