ବ୍ୟୁରୋ : ଇତିହାସ ରଚିଲା ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଟିମ । ଆଇବିଏସଏ ୱାର୍ଲ୍ଡ ଗେମ୍ସ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ । ଭାରତୀୟ ମହିଳା ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟିମ ଫାଇନାଲରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି । ଏହି କ୍ରୀଡ଼ାରେ ପ୍ରଥମଥର ଭାଗ ନେଇଥିଲା ଭାରତ । ଇଂଲଣ୍ଡର ଏଜବାଷ୍ଟନ ଠାରେ ଖେଳା ଯାଇଥିବା ମ୍ୟାଚରେ ଭାରତ ଡିଏଲ୍ଏସ୍ ନିୟମରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା ।ଭାରତ ପକ୍ଷରୁ ଦୀପା, ଡେଭିସ୍ ଓ ଟୁଡୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ | ଅଷ୍ଟ୍ରେଲିଆର ୫ ଜଣ ବ୍ୟାଟର ରନ୍ଆଉଟ୍ ହୋଇଥିଲେ । ପରେ ଭାରତୀୟ ଦଳ ୩.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୪୩ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ପରେ ବର୍ଷା ନିୟମରେ ଭାରତ ବିଜୟୀ ହୋଇଥିଲା। ଚାମ୍ପିଅନ୍ ଭାରତୀୟ ଦଳରେ ୪ ଜଣ ଓଡ଼ିଆ ଖେଳାଳି ଖେଳୁଛନ୍ତି । ସେପଟେ ପୁରୁଷ ବର୍ଗରେ ଭାରତୀୟ ଦୃଷ୍ଟିବାଧିତ ଟିମ୍ ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଛି ।