ନଭି ମୁମ୍ବାଇ: ନଭି ମୁମ୍ବାଇର ଡିୱା ପାଟିଲ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ମଜଭୁତ ସ୍ଥିତିରେ ରହିଛି । ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଟିମ୍ ୪୭୮ ରନ୍ରେ ଆଗୁଆ ରହିଛି । ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସ୍ରେ ମାତ୍ର ୧୩୬ ରନ୍ କରିବାକୁ ସମର୍ଥ ହୋଇଛି । ଭାରତର ଦୀପ୍ତି ଶର୍ମା ମାତ୍ର ୭ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଦିନରେ ମୋଟ ୧୯ ୱିକେଟ୍ର ପତନ ଘଟିଛି । ଏହା ମଧ୍ୟରେ ଇଂଲଣ୍ଡର ୧୦ ଏବଂ ଭାରତର ୯ ୱିକେଟ୍ ସାମିଲ । ଦ୍ୱିତୀୟ ଦିନ ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ୍ରେ ୪୨୮ ରନ୍ରେ ଶେଷ ହୋଇଥିଲା । ଦ୍ୱିତୀୟ ଇନିଂସ୍ରେ ଟିମ୍ ୬ ୱିକେଟ୍ ହରାଇ ୧୮୬ ରନ୍ କରିଛି । ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ବେଳକୁ କ୍ୟାପ୍ଟେନ୍ ହରମନ୍ପ୍ରୀତ୍ କୌର ୪୪ ଓ ପୂଜା ବସ୍ତ୍ରାକାର ୧୭ ରନ୍ରେ ବ୍ୟାଟିଂ କରୁଥିଲେ ।
ଶୁକ୍ରବାର ଭାରତ ଅସମାପ୍ତ ପ୍ରଥମ ଇନିଂସ୍ (୪୧୦/୭)ରେ ଆଉ ମାତ୍ର ୧୮ ରନ୍ ଯୋଗକରି ଅଲ୍ଆଉଟ୍ ହୋଇଥିଲା । ଇଂଲଣ୍ଡର ଲୌରେନ୍ ବେଲ୍ ଓ ସୋଫି ଏକ୍ଲେଷ୍ଟୋନ୍ଙ୍କୁ ୩ଟି ଲେଖାଏଁ ଏବଂ କେଟ୍ କ୍ରସ୍ ଓ ନାଟ୍ ସିଭର୍ ବ୍ରଣ୍ଟ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହାପରେ ଇଂଲଣ୍ଡର ପ୍ରଥମ ଇନିଂସ୍ ଆରମ୍ଭରୁ ହିଁ ଖରାପ ଥିଲା । ଟିମ୍ ୨୮ ରନ୍ରେ ସୋଫିଆ ଡଙ୍କଲି (୧୧) ଏବଂ କ୍ୟାପ୍ଟେନ୍ ହିଥ୍ ନାଇଟ୍ (୧୧)ଙ୍କ ୱିକେଟ୍ ହରାଇଥିଲା । ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ନାଟ୍ ସିଭର୍-ବ୍ରଣ୍ଟ୍ ସର୍ବାଧିକ ୫୯ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାମି ବ୍ୟୁମୋଣ୍ଟ୍ ୧୦, ଡାନିଏଲ୍ ୱାଟ୍ ୧୧, ଏମି ଜୋନ୍ସ ୧୨ କେଟ୍ କ୍ରସ୍ ୧ ଓ ଲୌରେନ୍ ଫିଲର୍ ୫ ରନ୍ କରିବାକୁ ସମର୍ଥ ହୋଇଥିଲେ । ସୋଫି ଏକ୍ଲେଷ୍ଟୋନ୍ ଓ ଚାର୍ଲି ଡିନ୍ ଖାତା ଖୋଲିପାରି ନଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ମାତ୍ର ୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ସ୍ନେହ ରାଣାଙ୍କୁ ଦୁଇଟି ଏବଂ ରେଣୁକା ସିଂହ ଓ ପୂଜା ବସ୍ତ୍ରାକାରଙ୍କ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ପ୍ରଥମ ଇନିଂସ୍ରେ ୨୯୨ ରନ୍ ଅଗ୍ରଣୀ ଲାଭ କରିଥିବା ଟିମ୍ ଇଣ୍ଡିଆ ଆଜି ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା । ସ୍ମୃତି ମନ୍ଧାନା (୨୬) ଓ ଶେଫାଳୀ ବର୍ମା (୩୩) ୬୧ ରନ୍ର ଭାଗୀଦାରୀ କରିଥିଲେ । ଦୁହିଁଙ୍କ ଆଉଟ୍ ପରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଘଟିଥିଲା । ୟାସ୍ତିକା ଭାଟିଆ ୯, ଜେମିମା ରଡ୍ରିଗ୍ସ ୨୭ ଓ ଦୀପ୍ତି ଶର୍ମା ୨୦ ରନ୍ କରିଥିବା ବେଳେ ସ୍ନେହ ରାଣା ଖାତା ମଧ୍ୟ ଖୋଲିପାରି ନଥିଲେ । ୧୩୩ ରନ୍ରେ ୬ ୱିକେଟ୍ ହରାଇବା ପରେ କ୍ୟାପ୍ଟେନ୍ ହରମନ୍ପ୍ରୀତ୍ (୪୪) ଓ ପୂଜା ବସ୍ତ୍ରାକାର ଇନିଂସ୍ ସମ୍ଭାଳି ଅବିଭାଜିତ ସପ୍ତମ ୱିକେଟ୍ ପାଇଁ ୫୧ ରନ୍ ଯୋଗ କରି ଦ୍ୱିତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଚାରିଦିନିଆ ମ୍ୟାଚ୍ର ତୃତୀୟ ଦିନ ଶନିବାର ଦୁହେଁ ଅସମାପ୍ତ ଇନିଂସ୍କୁ ଆଗେଇ ନେବେ । ଇଂଲଣ୍ଡ ପକ୍ଷରୁ ଚାର୍ଲି ଡିନ୍କୁ ୪ଟି ଏବଂ ସୋଫି ଏକ୍ଲୋଷ୍ଟୋନ୍ଙ୍କୁ ୨ଟି ୱିକେଟ୍ ମିଳିଥିଲା ।