28.1 C
Bhubaneswar
Sunday, September 8, 2024
Homeଖେଳମହିଳା ପ୍ରିମିୟର୍ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଆଜିଠାରୁ; ବେଙ୍ଗାଲୁରୁ ଓ ଦିଲ୍ଲୀରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌

ମହିଳା ପ୍ରିମିୟର୍ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଆଜିଠାରୁ; ବେଙ୍ଗାଲୁରୁ ଓ ଦିଲ୍ଲୀରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ: ଦେଶର ଘରୋଇ ମହିଳା ଟି-୨୦ ଲିଗ୍ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ପାଞ୍ଚ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଜାଏଣ୍ଟ୍‌ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ୟୁପି ୱାରିୟର୍ସ ଭାଗ ନେଉଛନ୍ତି । ଏହି ପାଞ୍ଚଟି ଟିମ୍ ମଧ୍ୟରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଏହା ମଧ୍ୟରେ ୨୦ ଲିଗ୍ ମ୍ୟାଚ୍‌, ଗୋଟିଏ ଏଲିମିନେଟର୍ ଏବଂ ଫାଇନାଲ୍ ମ୍ୟାଚ୍ ସାମିଲ । ଚଳିତ ସଂସ୍କରଣରେ ଗୋଟିଏ ବି ଡବଲ୍ ହେଡର୍ ନାହିଁ । ଉଦ୍‌ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ପ୍ରଥମ ସଂସ୍କରଣର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହର ମଧ୍ୟ ଆୟୋଜନ କରାଯିବ ।

ଏଥିରେ ବଲିଉଡ୍ ଷ୍ଟାର୍ ଶାହରୁଖ୍ ଖାନ୍‌, କାର୍ତ୍ତିକ ଆର‌୍ୟନ୍‌, ସିଦ୍ଧାର୍ଥ ମାଲହୋତ୍ରା, ଟାଇଗର ଶ୍ରଫ୍‌, ଶାହିଦ୍ କପୁର ଓ ବରୁଣ ଧୱନ୍ ପ୍ରଦର୍ଶନ କରିବେ ବୋଲି ସ୍ୱୀକୃତି ଦେଇସାରିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ସମସ୍ତ ମ୍ୟାଚ୍ ଦୁଇଟି ସହର ବେଙ୍ଗାଲୁରୁ ଓ ଦିଲ୍ଲୀରେ ଖେଳାଯିବ । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପ୍ରଥମ ଚରଣର ୧୧ ମ୍ୟାଚ୍ ଆୟୋଜନ କରିବ । ଏହାପରେ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ପ୍ଲେଅଫ୍ ଓ ଫାଇନାଲ୍‌ର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ଗତଥର ପୂରା ସଂସ୍କରଣ ମୁମ୍ବାଇରେ ହୋଇଥିଲା । ମାତ୍ର ଏଥର ସେଠାରେ ଗୋଟିଏ ବି ମ୍ୟାଚ୍ ହେବନାହିଁ । ଗ୍ରୁପ୍ ପର୍ଯ୍ୟାୟର ୮ଟି ମ୍ୟାଚ୍‌ରେ ପ୍ରତ୍ୟେକ ଟିମ୍ ପରସ୍ପରକୁ ଦୁଇଥର ଭେଟିବେ । ଲିଗ୍ ରାଉଣ୍ଡ୍ ପରେ ଶୀର୍ଷରେ ଥିବା ଟିମ୍ ସିଧା ଫାଇନାଲ୍‌ରେ ପ୍ରବେଶ କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ ଫାଇନାଲ୍ ପାଇଁ ଏକମାତ୍ର ପ୍ଲେଅଫ୍ ମ୍ୟାଚ୍‌ରେ ମୁହାଁମୁହିଁ ହେବେ । ଅନ୍ତିମ ସ୍ଥାନରେ ଦୁଇଟି ଟିମ୍ ସିଧା ବାଦ୍ ପଡ଼ିବେ ।

ସମସ୍ତ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ । ଲିଗ୍‌ର ଦ୍ୱିତୀୟ ସଂସ୍କରଣ ପାଇଁ ଅନୁଷ୍ଠିତ ଖେଳାଳି ନିଲାମୀରେ ଅନ୍‌କ୍ୟାପ୍‌ଡ୍ ଅଲ୍‌ରାଉଣ୍ଡର୍ କାଶଭୀ ଗୌତମ ସବୁଠୁ ଦାମୀ ଖେଳାଳି ହୋଇଥିଲେ । ଗୁଜରାଟ ଜାଏଣ୍ଟ୍‌ସ ତାଙ୍କ ୨ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା । ତେବେ ସେ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ ଗୁଜରାଟ ଜାଏଣ୍ଟ୍‌ସ ସୟାଲି ସରଗଥେଙ୍କୁ ୧୦ ଲକ୍ଷ ଟଙ୍କାରେ ଟିମ୍‌ରେ ସାମିଲ କରିଛି । କାଶ୍‌ଭୀଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଏନାବେଲ୍ ସଦରଲାଣ୍ଡ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ଟଙ୍କାରେ ନିଜ ଟିମ୍‌ରେ ସାମିଲ କରିଥିଲା ।

ସେହିପରି ପେସର୍ ସବ୍‌ନିମ୍ ଇସ୍‌ମାଇଲ୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୨ କୋଟି, ଗୁଜରାଟ ଅଷ୍ଟ୍ରେଲୀୟ ବ୍ୟାଟର୍ ଫିବି ଲିଚ୍‌ଫିଲ୍ଡଙ୍କୁ ୧ କୋଟି, ବୃନ୍ଦା ଦିନେଶଙ୍କୁ ୟୁପି ୱାରିୟର୍ସ ୧.୩ କୋଟି ଟଙ୍କାରେ ନିଜ ନିଜ ସମୟ ସାମିଲ କରିଥିଲେ । ଅନ୍ୟପକ୍ଷରେ କେଟ୍ କ୍ରସ୍‌ଙ୍କୁ ଆର୍‌ସିବି, ଡାନି ବ୍ୟାଟ୍‌ଙ୍କୁ ୟୁପି ଏବଂ ଟୁର୍ଣ୍ଣାମେଣ୍ଟ୍‌ର ଏକମାତ୍ର ଆସୋସିଏସନ୍ ଖେଳାଳି କାଥରିନ୍ ବ୍ରାୟସ୍ ଗୁଜରାଟ ପକ୍ଷରୁ ଖେଳିବେ । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଂଲଣ୍ଡ୍ କ୍ୟାପ୍‌ଟେନ୍ ହିଥର ନାଇଟ୍ ଟୁର୍ଣ୍ଣାମେଣ୍ଟ୍‌ରୁ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏହି କାରଣରୁ ଲରେନ୍ ବେଲ୍ ମଧ୍ୟ ଖେଳିବେ ନାହିଁ । ଭାରତର ଦେବିକା ବୈଦ୍ୟ ଗତବର୍ଷ ୧.୬ କୋଟିରେ ନିଲାମ ହୋଇଥିବା ବେଳେ ଏଥର ବିକ୍ରି ହୋଇପାରି ନଥିଲେ । ଭାରତୀୟ ମହିଳା ଟିମ୍ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ କୌର ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବା ବେଳେ ଭାଇସ୍ କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ବେଙ୍ଗାଲୁରୁ ଟିମ୍‌ର ନେତୃତ୍ୱ କରିବେ । ସେହିପରି ମ୍ୟାଗ୍ ଲେନିଙ୍ଗ୍ ଦିଲ୍ଲୀ କ୍ୟାପିଟାଲ୍ସ, ଏଲିସ୍ ହିଲି ୟୁପି ୱାରିୟର୍ସ ଏବଂ ବେଥ୍ ମୁନି ଗୁଜରାଟ ଜାଏଣ୍ଟ୍‌ସର କ୍ୟାପ୍‌ଟେନ୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking