ଲୁସାନେ: ଆସନ୍ତା ଡିସେମ୍ବର ପ୍ରାରମ୍ଭରେ ତୁର୍କୀର ଇସ୍ତାନବୁଲ୍ରେ ଆଇବା ମହିଳା ବକ୍ସିଂ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ଆୟୋଜିତ ହେବ । ଚାମ୍ପିଅନ୍ଶିପ୍ ପାଇଁ ମୋଟ ୨୬ ଲକ୍ଷ ଡଲାରର ପୁରସ୍କାର ରାଶି ରଖାଯାଇଛି, ଯାହା ପୁରୁଷ ଇଭେଣ୍ଟ୍ର ପୁରୁସ୍କାର ରାଶି ସହ ସମାନ । ଲିଙ୍ଗ ସମାନତାକୁ ଗୁରୁତ୍ୱ ଦେବା ନିମନ୍ତେ ବକ୍ସିଂର ବିଶ୍ୱ ନିୟନ୍ତ୍ରକ ସଂସ୍ଥା ଏହି ନିଷ୍ପତ୍ତି ନେଇଛି । ଆଇବା ସଭାପତି ଉମର କ୍ରେମ୍ଲେଭ୍ଙ୍କ ଇସ୍ତାନବୁଲ୍କୁ ସରକାରୀ ଗସ୍ତ ଅବସରରେ ଆଇବା ଆପେକ୍ସ ବଡି ଓ ତୁର୍କୀ ବକ୍ସିଂ ଫେଡେରେସନ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେବା ପରେ ଆଇବା ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି ।
ଆଇବାର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବିଜେତାଙ୍କୁ ଏତେ ପରିମାଣର ଅର୍ଥରାଶିରେ ପୁରସ୍କୃତ କରାଯିବ । ଟୁର୍ଣ୍ଣାମେଣ୍ଟର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ ଡଲାର, ରୌପ୍ୟ ବିଜେତାଙ୍କ ୫୦ ହଜାର ଏବଂ ଉଭୟ ବ୍ରୋଞ୍ଜ୍ ବିଜେତାଙ୍କୁ ୨୫ ହଜାର ଡଲାରର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରେମଲେଭ୍ କହିଛନ୍ତି । ହରିୟାଣାର ହିସାରରେ ଅକ୍ଟୋବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ଚାମ୍ପିଅନ୍ଶିପ୍ର ପ୍ରଦର୍ଶନକୁ ଭିତ୍ତିକରି ଏହି ମାର୍କି ଇଭେଣ୍ଟ୍ ପାଇଁ ଭାରତୀୟ ଟିମ୍ ଚୟନ କରାଯିବ । ଚାମ୍ପିଅନ୍ଶିପ୍ ଅବସରରେ ଆଇବାର ଏକ୍ସଟ୍ରାଅର୍ଡିନାରୀ କଂଗ୍ରେସ ଆୟୋଜିତ ହେବ ଏବଂ ସଂଗଠନର ସୁଧାର ସମ୍ପର୍କରେ ଘୋଷଣା କରାଯିବ । ଅନ୍ୟପକ୍ଷରେ ପୁରୁଷ ବକ୍ସିଂ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ସର୍ବୟାର ବେଲ୍ଗ୍ରେଡ୍ରେ ଅକ୍ଟୋବର ୨୪ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।