24.1 C
Bhubaneswar
Saturday, January 11, 2025
Homeଖେଳମହିଳା ଏସିଆ କପ୍‌: ପ୍ରଥମ ଥର ପାଇଁ ସେମିରେ ଥାଇଲାଣ୍ଡ୍‌

ମହିଳା ଏସିଆ କପ୍‌: ପ୍ରଥମ ଥର ପାଇଁ ସେମିରେ ଥାଇଲାଣ୍ଡ୍‌

ସିଲ୍‌ହେଟ: ମଙ୍ଗଳବାର ଚଳିତ ଏସିଆ କପ୍‌ର ସେମିଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି । ଏଥିସହ ପ୍ରଥମ ଥର ପାଇଁ ଥାଇଲାଣ୍ଡ୍ ଅନ୍ତିମ ୪ ଟିମ୍‌ରେ ସ୍ଥାନ ପାଇଛି । ମଙ୍ଗଳବାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବର୍ଷା କାରଣରୁ ଦିନର ପ୍ରଥମ ମ୍ୟାଚ୍‌ଟି ବାତିଲ୍ ହୋଇଥିଲା । ଏଥିରେ ଘରୋଇ ବାଂଲାଦେଶ ଓ ୟୁଏଇ ମଧ୍ୟରେ ମୁକାବିଲା ହେବାକୁ ଥିଲା । ତେବେ ବର୍ଷା କାରଣରୁ ଖେଳ ସମ୍ଭବପର ନ ହେବାରୁ ଉଭୟ ଦଳ ପଏଣ୍ଟ୍ ଭାଗ କରିଥିଲେ । ବାଂଲାଦେଶର ରନ୍ ରେଟ୍ ବେଶ୍ ଅଧିକ ଥିବା ବେଳେ ଦଳ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ଥାଇଲାଣ୍ଡ୍‌କୁ ପଛରେ ପକାଇ ସେମିଫାଇନାଲ୍‌ରେ ପହଞ୍ଚିପାରିଥାନ୍ତା । କିନ୍ତୁ ମ୍ୟାଚ୍‌ରେ ଗୋଟିଏ ବି ବଲ୍ ବି ବୋଲିଂ ହୋଇ ନ ପାରିବାରୁ ଶେଷରେ ଥାଇଲାଣ୍ଡ୍ ୪ ନମ୍ବରରେ ରହି ସେମିଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିଥିଲା । ସେହିପରି ବାଂଲାଦେଶ ପଞ୍ଚମରେ ଓ ୟୁଏଇ ଷଷ୍ଠ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛନ୍ତି ।

ଅନ୍ୟପକ୍ଷରେ ଥାଇଲାଣ୍ଡ୍ ପ୍ରତିଯୋଗିତାରେ ୬ଟି ମ୍ୟାଚ୍ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି । ଏଥିରେ ପାକିସ୍ତାନ ବିପକ୍ଷରେ ଘଟାଇଥିବା ବିପର୍ଯ୍ୟୟ ମଧ୍ୟ ସାମିଲ୍ । ଏହାଛଡ଼ା ଦଳ ୟୁଏଇ ଓ ସପ୍ତମ ସ୍ଥାନରେ ପ୍ରତିଯୋଗିତା ଶେଷ କରିଥିବା ମାଲେସିଆକୁ ମଧ୍ୟ ପରାସ୍ତ କରିଛି । ସେହିପରି ଦିନର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ହରାଇ ପାକିସ୍ତାନ ୧୦ ପଏଣ୍ଟ୍ ପାଇଥିଲେ ହେଁ ରନ୍ ରେଟ୍‌ରେ ପଛୁଆ ଭିତ୍ତିରେ ଦ୍ୱିତୀୟ ସ୍ଥାନରେ ରହିଛି । ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଥିବା ବେଳେ ଆସନ୍ତା ୧୩ ତାରିଖରେ ପୁନର୍ବାର ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍‌ରେ ମୁକାବିଲା ହେବ । ଏହା ପୂର୍ବରୁ ପ୍ରଥମ ସ୍ଥାନରେ ଥିବା ଭାରତ ସହ ଥାଇଲାଣ୍ଡ୍‌ର ପ୍ରଥମ ସେମିଫାଇନାଲ୍‌ରେ ଲଢ଼େଇ ହେବ । ମଙ୍ଗଳବାର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୮.୫ ଓଭର୍‌ରେ ୧୧୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା ।

ଦଳ ପକ୍ଷରୁ ଅଧିନାୟିକା ତଥା ଓପନର ଚମାରି ଅଥାପଥୁ ୯ଟି ଚୌକା ସହ ୪୧, ଓଶାଦି ରଣସିଂଘେ ୩ଟି ଚୌକା ସହ ୨୬, ହସିନୀ ପରେରା ୨ଟି ଚୌକା ସହ ୧୮ ଓ କବିଶା ଦିଲ୍‌ହାରି ଗୋଟିଏ ଚୌକା ସହ ୧୧ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ଓମୈମା ସୋହେଲ୍ ୫ଟି, ଟୁବା ହସନ୍ ୨ଟି ଓ ନିଦା ଦର୍ ଗୋଟିଏ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ୧୮.୫ ଓଭର୍‌ରେ ୫ ଜଣ ବ୍ୟାଟ୍ସଓମ୍ୟାନ୍‌ଙ୍କୁ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳ ପକ୍ଷରୁ ଦର୍ ଅପରାଜିତ ୨୬ ରନ୍ କରିଥିବା ବେଳେ ଆଲିୟା ରିଆଜ୍ ୩ଟି ଚୌକା ସହ ୨୦ ଏବଂ ଆୟେଶା ନସୀମ୍ ୨ଟି ଛକା ସହ ଅପରାଜିତ ୧୬ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ କବିଶା ୨ଟି ଏବଂ ଓଶାଦି, ଅଚିନି କୁଲସୂରିୟା ଓ ଇନୋକା ରଣବୀରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଓମୈମା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking