ବଳଙ୍ଗା: ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମରେ ଜନୈକା ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ପଟେ ପରିବାର ଲୋକେ ମହିଳାଙ୍କ ମୃତ୍ୟ ହୃଦ୍ଘାତଜନିତ କହୁଥିଲା ବେଳେ ମହିଳାଙ୍କ ଭାଇ ଅଧିକ ଯୈାତୁକ ଦାବିରେ ତାଙ୍କ ଭଉଣୀକୁ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ମୃତକ ମହିଳା ଜଣକ ହେଲେ ସରସ୍ୱତୀପୁର ଗ୍ରାମର ଭଜମନ ବେହେରାଙ୍କ ପତ୍ନୀ ବବିତା ବେହେରା(୫୦) । ସୂଚନା ମୁତାବକ ବବିତା ଗତ ୩ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ଥିବାବେଳେ ବୁଧବାର ସକାଳ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ।
ଫଳରେ ସ୍ୱାମୀ ଭଜମନ ସାକ୍ଷୀଗୋପାଳ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ବବିତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବବିତାଙ୍କ ସ୍ୱାମୀ ଭଜମନ ପୁଲିସ ନିକଟରେ କହିଛନ୍ତି । ଅପରପକ୍ଷେ ବବିତାଙ୍କ ଭାଇ ସାତଶଙ୍ଖ ନୁଆସାହିର ଅଜୟ ସାହାଣୀ ପୂର୍ବାହ୍ନରେ ଭଉଣୀଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୈାତୁକ ଦାବିରେ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତ ପୁରୀ ପଠାଇ ଘଟଣା ତଦନ୍ତ ଚଳାଇଛି ।