ବରେଲି : ସ୍ବାମୀ ଖୁବ୍ ଅସୁନ୍ଦର ବୋଲି ତାଙ୍କୁ ପୋଡ଼ି ମାରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ବରେଲି ଅଞ୍ଚଳର ଜଣେ ୨୬ ବର୍ଷୀୟ ମହିଳାଙ୍କୁ ୪ ବର୍ଷ ପରେ ଗତ ସୋମବାର ଦିନ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିବା କଥା ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ୨୬ ବର୍ଷୀୟ ପ୍ରେମଶ୍ରୀ, କୁର୍ ଫତେଗଡ଼ ଅନ୍ତର୍ଗତ ବିଚେତା ନିବାସୀ ୨୫ ବର୍ଷିୟ ସତ୍ୟବୀର ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ, ସ୍ବାମୀ ସତ୍ୟବୀରଙ୍କ କଳା ଚେହେରା ପ୍ରେମଶ୍ରୀଙ୍କୁ ଭଲ ଲାଗୁ ନ ଥିଲା ଏବଂ ତାଙ୍କୁ ବାରମ୍ବାର ଛାଡ଼ପତ୍ର ଦେବା ପାଇଁ କହୁଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ସେମାନଙ୍କର ବିବାହ ହୋଇଥିଲା। ଦାମ୍ପତ୍ୟ କଳହ ସତ୍ତ୍ବେ ସତ୍ୟବୀର ଏହି ବିବାହ ପ୍ରତି ପ୍ରତିବଦ୍ଧ ଓ ଅଟଳ ଥିଲେ। ୨୦୧୮ରେ ସେମାନଙ୍କର ଝିଅଟିଏ ବି ହୋଇଥିଲା। କିନ୍ତୁ, ସ୍ବାମୀଙ୍କ ଚେହେରା ପ୍ରତି ପ୍ରେମଶ୍ରୀ ପୂର୍ବଭଳି ଅସନ୍ତୁଷ୍ଟା ଥିଲେ। ୨୦୧୯ ଏପ୍ରିଲ୍ ୧୫ ତାରିଖରେ ସତ୍ୟବୀର ଶୋଇଥିବା ବେଳେ ପ୍ରେମଶ୍ରୀ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ ସତ୍ୟବୀରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତହିଁ ଆର ଦିନ ତାଙ୍କର ମୃତ୍ୟୁ ଘଟିଲା। ସତ୍ୟବୀରଙ୍କ ଭାଇ ହରବୀର ‘ଏଫ୍ଆଇଆର୍’ ଫାଇଲ୍ କରିବା ପରେ ‘ଆଇପିସି’ ଧାରା ୩୦୨ ଅନୁସାରେ ପ୍ରେମଶ୍ରୀଙ୍କୁ ପୁଲିସ ଗିରଫ କରି ସ୍ବାମୀହନ୍ତା ବୋଲି ଅଦାଲତରେ ଦର୍ଶାଇଲା। ବିଚାର ପରେ ୩୨ ପୃଷ୍ଠାସମ୍ବଳିତ ରାୟରେ ଅଦାଲତ ମଧ୍ୟ ପୁଲିସ ରିପୋର୍ଟକୁ ସୁନିଶ୍ଚିତ କଲେ। ସୋମବାର ଦିନ ଅଦାଲତ ବାହାରେ ନିଜ ୫ ବର୍ଷୀୟ ଝିଅକୁ ସାଥିରେ ଆଣିଥିବା ପ୍ରେମଶ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଜମିବାଡ଼ି ବିବାଦ କାରଣରୁ ଶାଶୂଘର ଲୋକେ ତାଙ୍କୁ ମିଥ୍ୟା ମାମଲାରେ ଫସାଇଛନ୍ତି। କିନ୍ତୁ, ମୃତ୍ୟୁଶଯ୍ୟାରେ ସତ୍ୟବୀର ତାଙ୍କ ବିବାହ ସମ୍ବନ୍ଧରେ ଯେଉଁ ଭୟାବହ ବାସ୍ତବତା କଥା ବୟାନ ଦେଇଥିଲେ ତାହା ଥିଲା ଅକାଟ୍ୟ ସତ୍ୟ। ଏହା ଅଦାଲତରେ ପ୍ରମାଣିତ ହୋଇଥିଲା। ଅଦାଲତଙ୍କ ରାୟ ଶୁଣି ସତ୍ୟବୀରଙ୍କ ବାପା ମହେନ୍ଦ୍ର ସିଂହ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ମୋ ପୁଅ ପ୍ରତି ବିଚାର ହୋଇଛି। ସେ ଅତ୍ୟନ୍ତ କ୍ରୂରତାର ସରବ୍ୟ ହୋଇଥିଲା। ଅଦାଲତଙ୍କ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ।