କଳାହାଣ୍ଡି :ବିବାହ ଭୋଜିରୁ ଫେରିବା ବେଳେ ଅଘଟଣ। କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଗୁନୁଗୁନିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହେଲା ବୋଲେରୋ ଗାଡ଼ି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ୫ ଜଣ ବୋଲେରୋ ଗାଡ଼ିରେ ବିବାହ ଉତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ। ଗୁନୁଗୁନିଆ ଛକ ନିକଟରେ ଚାଳକ ଗାଡ଼ିଟିରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।










