ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ ୱିଲିୟମସନ ଏବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ତେବେ ସେ କେବଳ ଟେଷ୍ଟ ଦଳରୁ ନେତୃତ୍ୱ ଛାଡିଛନ୍ତି । ଆଗକୁ ତାଙ୍କୁ ଦିନିକିଆ ଏବଂ ଟି-୨୦ ଦଳରେ ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିବ । ତେବେ ଟେଷ୍ଟ ଦଳରେ ସେ ଜଣେ ଖେଳାଳିଙ୍କ ରୂପରେ ଖେଳ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।
ଇସ୍ତଫା ଦେଇ ୱିଲିୟମସନ କହିଛନ୍ତି ଯେ, ଟେଷ୍ଟ କ୍ରିକେଟରେ ଅଧିନାୟକ ପଦରେ ରହିବା ପ୍ରକୃତରେ ଏକ ସମ୍ମାନର ବିଷୟ । ତେବେ ଟେଷ୍ଟ ମ୍ୟାଚ ଖେଳର ଶିଖର ବୋଲି କହିଛନ୍ତି ୱିଲିୟମସନ । ତେବେ ନେତୃତ୍ୱ ଯୋଗୁଁ ପଡିଆ ଏବଂ ବାହାରେ ମଧ୍ୟ ଚାପ ବୃଦ୍ଧି ପାଇଥାଏ । ତେବେ କ୍ୟାରିୟରର ଏପରି ସମୟରେ ମୋର ଏହି ନିଷ୍ପତ୍ତି ନେବା ପାଇଁ ଉଚିତ ବୋଲି ୱିଲିୟମସନ ପ୍ରକାଶ କରିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ସହ ବିଚାର-ବିମର୍ଶ କରିବା ପରେ ଆଗାମୀ ବିଶ୍ୱକପକୁ ନଜରରେ ରଖି ଏବେ କେବଳ ସୀମିତ ଓଭରରେ ଅଧିନାୟକ ପଦ ରଖିବା ଉଚିତ ହେବ ।
ତେବେ ୱିଲିୟମସନ ଟେଷ୍ଟ ଟିମର ନେତୃତ୍ୱ ଛାଡିବା ପରେ ଅଭିଜ୍ଞ ବୋଲର ଟିମ ସାଉଦିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତେବେ ଉପଅଧିନାୟକ ଭାବରେ ଟମ ଲାଥମଙ୍କୁ ନିଯୁକ୍ତ କରିଛି ନ୍ୟୁଜିଲାଣ୍ଡ । ଆସନ୍ତାପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରୁ ନ୍ୟୁଜିଲାଣ୍ଡର ୩୧ତମ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ ଟିମ ସାଉଦି ।