ଲକ୍ଷ୍ନୌ: ମେକ୍ଅପ୍ ପାଇଁ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀ ଟଙ୍କା ନଦେବାରୁ ଜଣେ ମହିଳା, ସ୍ୱାମୀଙ୍କ ଠାରୁ ତଲାକ୍ ମାଗିଛନ୍ତି । ଏଥିପାଇଁ ମହିଳା ଜଣକ ପ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଉତ୍ତରପ୍ରଦେଶର ଆଲିଗଡରୁ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସମ୍ପୃକ୍ତ ମହିଳା ତଲାକ୍ ଚାହୁଁଛନ୍ତି । ସୂଚନା ଅନୁଯାୟୀ, ସିଭିଲ୍ ଲାଇନ୍ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ସ୍ୱାମୀଙ୍କଠୁ ତଲାକ୍ ଚାହୁଁଥିବା ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ ମହିଳା ଜଣକ ଉଲ୍ଲେଖ କରିଛନ୍ତି, ମେକ୍ଅପ୍ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ । ହେଲେ ସ୍ୱାମୀ ତାଙ୍କୁ ଟଙ୍କା ଦେଉ ନାହାନ୍ତି । ଏହାସହ ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ସ୍ୱାମୀଙ୍କ କହିବା ଅନୁସାରେ ସେ ଭଲ ଦେଖିବାକୁ ନୁହଁନ୍ତି । ତେଣୁ ସ୍ୱାମୀ ନିଜ ସହ ତାଙ୍କୁ ରଖିବାକୁ ଚାହୁଁ ନାହାନ୍ତି ।
ଏହାଛଡ଼ା ଉକ୍ତ ମହିଳା ନିଜ ଶାଶୁ-ଶ୍ୱଶୁରଙ୍କ ବିରୋଧରେ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । ୨୦୧୫ରେ ଦିଲ୍ଲୀରେ ରହୁଥିବା ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା । ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ପ୍ରଥମେ ପ୍ରଥମେ ସବୁ କିଛି ଠିକ୍ଠାକ୍ ଚାଲିଥିଲା । ହେଲେ ପରେ ସ୍ୱାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା ବୋଲି ମହିଳା ଅଭିଯୋଗ କରିଛନ୍ତି । ମହିଳା ଜଣକ ଆହୁରି କହିଛନ୍ତି ଯେ, ‘ମୁଁ ଯେତେବେଳେ ବି ମେକ୍ଅପ୍ ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗିଥାଏ, ସବୁବେଳେ ସେ ମନା କରି ଦେଉଛନ୍ତି । ଘର ଖର୍ଚ୍ଚ ପାଇଁ ମଧ୍ୟ ସେ ଟଙ୍କା ଦେଉ ନାହାନ୍ତି । ଏପରିକି ଶାଶୁ-ଶ୍ୱଶୁର ମଧ୍ୟ ସବୁବେଳେ ସ୍ୱାମୀଙ୍କୁ ସପୋର୍ଟ କରୁଛନ୍ତି । ନା ତାଙ୍କ ଘର ପାଇଁ ନା ତାଙ୍କ ପାଇଁ ମୁଁ ଠିକ୍ ନୁହେଁ ବୋଲି ସ୍ୱାମୀ ସବୁବେଳେ କହୁଛନ୍ତି । ଏପରିକି ମୁଁ ଭଲ ଦେଖିବାକୁ ନୁହେଁ । ଏଥିପାଇଁ ସେ(ସ୍ୱାମୀ) ମୋ ସହ ରହିବାକୁ ଚାହୁଁ ନାହାନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି ।