ଭୁବନେଶ୍ୱର: ରାଜଧାନୀର ସବୁଠାରୁ ଦୁର୍ଘଟଣା ପ୍ରବଣ ସ୍ଥାନ ହେଉଛି ଆଇଗଣିଆ ଛକ । ପ୍ରତ୍ୟେକ ଦିନ ଏହି ଛକରେ ଛୋଟ ବଡ ଦୁର୍ଘଟଣା ଘଟି ଯାଉଛି ଅନେକ ମୂଲ୍ୟବାନ ଜୀବନ । ବିଶେଷ କରି ରାସ୍ତା ନିର୍ମାଣ ପାଇଁ ମାସ ମାସ ଧରି ରାସ୍ତାକୁ ଖୋଳାଯାଇ ଅଧାପନ୍ତରିଆ ଭାବେ ପଡିଥିବାରୁ ଏହି ଦୁର୍ଘଟଣାମାନ ଘଟୁଛି । ୧୬ ନମ୍ବର ଜାତୀୟ ରାଜପଥର ବ୍ଲାକ ସ୍ପଟ୍ ଭାବେ ଜଣାଶୁଣା ଆଇଗିଣିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସିମେଣ୍ଟ ବୋଝେଇ ଟ୍ରକ ଏକ ମୋଟରସାଇକେଲ୍କୁ ପଛପଟୁ ଧକ୍କା ଦେବା ଦେବାରୁ ଦମ୍ପତି ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କଟକ ଜିଲ୍ଲା ସାଲେପୁର ଥାନା ପୂରଣ ଗ୍ରାମର ସୁଷମା ବିଶ୍ୱାଳ (୪୬) ।
ଖଣ୍ଡଗିରି ଥାନା ପୋଲିସ ଗୁରୁତର ଆହାତ ହୋଇଥିବା ସ୍ୱାମୀ ବନବିହାରୀ ବିଶ୍ୱାଳଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ । ଅନ୍ୟ ପଟେ ଟ୍ରକ୍ ଡ୍ରାଇଭରକୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ଗିରଫ ଡ୍ରାଇଭର ହେଲେ ନୟାଗଡ ଜିଲ୍ଲା ଶରଣକୁଳର ସୁନିଲ କୁମାର ମହାରଣା(୨୬) । ଶନିବାର ବନବିହାରୀ ତାଙ୍କ ସ୍ତ୍ରୀ ସୁଷମାଙ୍କୁ ମୋଟରସାଇକେଲରେ ବସାଇ ସାଲେପୁରରୁ ସମ୍ପର୍କିୟଙ୍କ ଘର ପାତ୍ରପଡା ଫୁଲେଶ୍ୱରୀ ବସ୍ତିକୁ ଯାଉଥିଲେ । ଆଇଗିଣିଆ ଛକ ଉଡନ୍ତା ପୋଲ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ବନବିହାରୀଙ୍କ ମୋଟରସାଇକେଲ ପଛପଟୁ ଧକ୍କା ଦେଇଥିଲା ।
ଫଳରେ ବନବିହାରୀଙ୍କ ସ୍ତ୍ରୀ ସୁଷମା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବନବିହାରୀ ଗାଡିରୁ ଛିଟିପଡି ଗୁରୁତର ଆହତ ହୋଇଛନ୍ତି । ତାଙ୍କର ମୁଣ୍ଡ, ଛାତି, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଗୁରୁତର ଆହତ ହୋଇଥିବା ବନବିହାରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ । ସୁଷମାଙ୍କ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଅନ୍ୟ ପଟେ ଟ୍ରକ୍ ଡ୍ରାଇଭରକୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି ।